ବିଭିନ୍ନ ଦେଶରେ ଭିନ୍ନ ନିୟମ

କରୋନା ସମଗ୍ର ବିଶ୍ୱରେ କାୟା ମେଲାଇଛି। ଏହାକୁ ରୋକିବାର ଏକମାତ୍ର ଉପାୟ ହେଲା ସାମାଜିକ ଦୂରତା। ତେଣୁ ଅଧିକାଂଶ ଦେଶରେ ଏବେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ହେଲେ ସବୁ ଦେଶରେ ଲକ୍‌ଡାଉନ୍‌ ନିୟମ ସମାନ ନୁହେଁ। ଏହାକୁ ସଫଳ କରିବା ପାଇଁ ବିଭିନ୍ନ ଦେଶ ନିଜର ଭିନ୍ନ ଭିନ୍ନ ଉପାୟ ଆପଣାଇଥିବା ଜଣାଯାଏ। ‘କଲମ୍ବିଆ’ର କେତେକ ସହରରେ ଲକ୍‌ଡାଉନ୍‌ରେ ସେମାନଙ୍କ ଜାତୀୟ ପରିଚୟପତ୍ର(ନ୍ୟାଶନାଲ୍‌ ଆଇଡି)ରେ ରହିଥିବା ଅନ୍ତିମ ସଂଖ୍ୟା ଆଧାରରେ ବାହାରକୁ ଯିବାକୁ ଅନୁମତି ମିଳିଥାଏ। ଏହି ନମ୍ବର ଅନୁଯାୟୀ ସପ୍ତାହର ବିଭିନ୍ନ ଦିନରେ ଲୋକେ ଜରୁରୀ ସାମଗ୍ରୀ ପାଇଁ ବାହାରକୁ ଯାଇଥାନ୍ତି। ‘ପାନାମା’ ଦେଶରେ ମଧ୍ୟ କରୋନା ମାମଲା ବଢ଼ିବାରେ ଲାଗିଛି। ତେଣୁ ଏଠାରେ ଲକ୍‌ଡାଉନ୍‌ ଘୋଷଣା ହୋଇଛି। ଏହାକୁ ସଫଳ କରିବା ପାଇଁ ଏଠାରେ ଅନ୍ୟ ଦେଶଠାରୁ କିଛି ଭିନ୍ନ ନିୟମ ଲାଗୁ ହୋଇଛି। ସେଣ୍ଟ୍ରାଲ୍‌ ଆମେରିକାର ଏହି ଦେଶରେ ଲକ୍‌ଡାଉନ୍‌ ସମୟରେ ଲିଙ୍ଗ ଆଧାରରେ କିିଛି ଦିନ ମହିଳା ଏବଂ ଆଉ କିଛି ଦିନ ପୁରୁଷ ଜରୁରୀ ସାମଗ୍ରୀ ପାଇଁ ୨ ଘଣ୍ଟା ବାହାରକୁ ଯିବାକୁ ଅନୁମତି ମିଳିଥାଏ। ମହିଳାଙ୍କ ପାଇଁ ସୋମବାର, ବୁଧବାର ଓ ଶୁକ୍ରବାର ଦିନ ନିର୍ଦ୍ଧାରିତ ହୋଇଥିବାବେଳେ ପୁରୁଷଙ୍କ ପାଇଁ ମଙ୍ଗଳବାର, ଗୁରୁବାର ଓ ଶନିବାର ରହିଛି। ତେବେ ରବିବାର ଏଠାରେ ବାହାରକୁ ଯିବାକୁ ଅନୁମତି ନାହିଁ। ସର୍ବିୟାରେ ଲକ୍‌ଡାଉନ୍‌ ସମୟରେ ଭିଡ଼ ନିୟନ୍ତ୍ରଣ ପାଇଁ ‘ଡଗ୍‌ ଓ୍ବାକିଂ ଆଓ୍ବାର୍‌’ ଲାଗୁ ହୋଇଛି। ଏଥିରେ ରାତି ୮ଟାରୁ ୯ଟା ପର୍ଯ୍ୟନ୍ତ ଲୋକେ ବାହାରକୁ ଜରୁରୀ କାମରେ ଯାଇପାରିବେ। ଉଲ୍ଲେଖଯୋଗ୍ୟ, ଏଠାରେ ପୂର୍ବରୁ କୁକୁରଙ୍କ ବୁଲିବା ପାଇଁ ଏହି ନିୟମ ହୋଇଥିଲା। ତେବେ ଏହାର ବିରୋଧ ପରେ ନିୟମ ଉଠାଯାଇଥିଲା। ‘ସ୍ବିଡେନ୍‌’ରେ ୪୫୦୦ରୁ ଊର୍ଦ୍ଧ୍ୱ କରୋନା ସଂକ୍ରମିତ ଚିହ୍ନଟ ହୋଇସାରିଥିବାବେଳେ ଏଠାରେ ସେଭଳି ବିଶେଷ କଟକଣା ଜାରି ହୋଇନାହିଁ। ତେବେ ଗୋଟିଏ ସ୍ଥାନରେ ୫୦ରୁ ଊର୍ଦ୍ଧ୍ୱ ଲୋକ ଏକାଠି ନ ହେବା ପାଇଁ ନିୟମ ଲାଗୁ ହୋଇଛି। ଲୋକେ ବୁଦ୍ଧିମତାର ସହ ଏଭଳି ପରିସ୍ଥିତିର ମୁକାବିଲା କରିବେ ବୋଲି ଏଠାକାର ସରକାର ଆଶା ପ୍ରକାଶ କରିଛନ୍ତି। ତେବେ ଏଠାରେ ୧୬ ବର୍ଷରୁ କମ୍‌ ପିଲାଙ୍କ ପାଇଁ ଏବେବି ସ୍କୁଲ ଖୋଲାଥିବାବେଳେ ରେସ୍ତୋରାଁ ଗୁଡ଼ିକରେ ମଧ୍ୟ ଟେବଲ୍‌ ସର୍ଭିସ୍‌ ମିଳୁଛି। ତେଣୁ ଲୋକଙ୍କ ଭିଡ଼ ମଧ୍ୟ ଜମୁଛି। ‘ମାଲେସିଆ’ରେ ଆଂଶିକ ଲକ୍‌ଡାଉନ୍‌ ଘୋଷଣା ହୋଇଛି। ହେଲେ ଏଠାକାର ସରକାର ଲକଡାଉନ୍‌ ସମୟରେ ମହିଳାଙ୍କୁ କିଛି ବିବାଦୀୟ ପରାମର୍ଶ ଦେଇ କ୍ଷମା ମାଗିବାକୁ ପଡ଼ିଥିଲା। ମହିଳା ମନ୍ତ୍ରଣାଳୟ ପକ୍ଷରୁ ଏକ କାର୍ଟୁନ୍‌ ଜାରି କରାଯିବା ସହ ମହିଳାଙ୍କୁ ଘରେ ରହି ମେକ୍‌ଅପ୍‌ କର ଏବଂ ସ୍ବାମୀଙ୍କ ସହ ଝଗଡ଼ାରୁ ଦୂରେଇ ରୁହ ଭଳି ଆପତ୍ତିଜନକ ପରାମର୍ଶ ଦିଆଯାଇଥିଲା। ହେଲେ ‘ତୁର୍କମେନିସ୍ତାନ’ରେ କରୋନା ମୁକାବିଲା ପାଇଁ ଅଜବ ନିୟମ ଲାଗୁ ହୋଇଛି। ଏଠାରେ କରୋନା ଶବ୍ଦକୁ ହିଁ ହଟାଇ ଦିଆଯାଇଛି। ସୂଚନା ମୁତାବକ ଏଠାରେ କରୋନା ଭାଇରସ୍‌ ବିଷୟରେ କଥା ହେବା କିମ୍ବା ମାସ୍କ ପିନ୍ଧି ବୁଲିବା ଦେଖାଗଲେ ତାଙ୍କୁ ଗିରଫ ମଧ୍ୟ କରାଯାଇପାରେ। ଏଠାକାର ଅଧିକାରୀମାନଙ୍କ କହିବା ହେଲା ଏଠାରେ ଗୋଟିଏ ମଧ୍ୟ କରୋନା ସଂକ୍ରମିତ ମାମଲା ନଜରକୁ ଆସିନାହିଁ।

Share