Categories: ଜାତୀୟ

ବିବାହ ଭୋଜିରେ କନ୍ୟାବରଙ୍କୁ ଲୋକେ ଉପହାର ଦେଲେ ପାଣିଭର୍ତ୍ତି ମାଠିଆ

ଭୋପାଳ,୨୮।୫: ମଧ୍ୟପ୍ରଦେଶରେ ପିଇବା ପାଣି ସମସ୍ୟା ଉତ୍କଟ ହେବାରେ ଲାଗିଛି। ସମ୍ପ୍ରତି ଏଠାରେ ଏକ ବିବାହ ଭୋଜିରେ ଯୋଗଦେଇଥିବା ଲୋକେ କନ୍ୟାବରଙ୍କୁ ପାଣିଭର୍ତ୍ତି ମାଠିଆ ଉପହାର ଭାବେ ପ୍ରଦାନ କରିଛନ୍ତି। ସ୍ଥାନୀୟ ଖରଗୋନ୍‌ ଜିଲାର ରାୟଟେମରୀରେ ଏଭଳି ଘଟଣା ଘଟିଛି। ଏହି ପାହାଡ଼ିଆ ଆଦିବାସୀ ଗାଁରେ ପିଇବା ପାଣି ସମସ୍ୟା ଦୀର୍ଘଦିନ ଧରି ଜାରି ରହିଛି। ଗାଁରେ ବାସକରୁଥିବା କୁବେର ସିଂଙ୍କ ପୁଅଙ୍କ ବିବାହ ଭୋଜିରେ  ଖାଦ୍ୟପଦାର୍ଥ ରନ୍ଧା ଯିବାରଥିଲା। ତେବେ ଏଥିରେ ମୁଖ୍ୟ ପ୍ରତିବନ୍ଧକ ଥିଲା ପିଇବା ପାଣି। ଏନେଇ କୁବରେ ସିଂ ଗାଁ ସରପଞ୍ଚ ଏବଂ ଲୋକଙ୍କ ସହିତ ଆଳୋଚନା କରିଥିଲେ। ଶେଷରେ ସଭିଏଁ ଏକ ମାଠିଆ ପାଣି ନେଇ ବିବାହ ଭୋଜିକୁ ଆସିବାକୁ ରାଜି ହୋଇଥିଲେ। ଏବେ ଏହି ନିଆରା ବିବାହ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେବା ସହିତ ଏହା ବିଭିନ୍ନ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Share