Categories: କନ୍ଧମାଳ

ବିବାହ ପୂର୍ବରୁ ନାବାଳିକା ଉଦ୍ଧାର

ଫିରିଙ୍ଗିଆ,୨୯ା୨: ବିବାହ ପାଇଁ ବରଘରେ ଥିବା ଜଣେ ନାବାଳିକାଙ୍କୁ ପୋଲିସ, ଚାଇଲ୍ଡ ଲାଇନ ଓ ଫିରିଙ୍ଗିଆ ସମନ୍ବିତ ଶିଶୁ ବିକାଶ ପକ୍ଷରୁ ଉଦ୍ଧାର କରାଯାଇଛି। ଉଦ୍ଧାର ପରେ ତାଙ୍କୁ ଶିଶୁ ମଙ୍ଗଳ କମିଟି ନିକଟରେ ହାଜର କରାଯାଇଥିଲା। ଅଧ୍ୟକ୍ଷ ଅଶୋକ ବେହେରା ବାଲିଗୁଡ଼ା ସ୍ଥିତ ବନବାସୀ ସେବା ସମିତି ଶିଶୁ ଯତ୍ନ ଗୃହରେ ଅସ୍ଥାୟୀ ଭାବେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। କେଳାପଡ଼ା ପଞ୍ଚାୟତର ଜଣେ ଯୁବକଙ୍କ ଘରେ ଖଜୁରିପଡ଼ା ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବିବାହ ପାଇଁ ଆଣି ପରିବାର ସହମତିରେ ରଖାଯାଇଥିଲା। ଏନେଇ ଚାଇଲ୍ଡ ଲାଇନ ହେଲ୍ପ ନମ୍ବରକୁ ଖବର ମିଳିବା ପରେ ଫିରିଙ୍ଗିଆ ସିଡିପିଓ ମଞ୍ଜୁଳା ପ୍ରଧାନଙ୍କ ନେତୃତ୍ୱରେ କାଉନ୍‌ସେଲର ସୁପ୍ରଭା ନାୟକ ଓ ସଭ୍ୟ ଅନୁପ କୁମାର ସାହୁ ଓ ଫିରିଙ୍ଗିଆ ପୋଲିସ ପହଞ୍ଚି ଉଦ୍ଧାର କରିଥିଲେ।