ବିବାହ ପାଇଁ ରାଜି ହେଲେନି ପ୍ରେମିକ: ଥାନାର ଦ୍ୱାରସ୍ଥ ହେଲେ ପ୍ରେମିକା

ବାଲିକୁଦା,୧୯ା୧୧(ସ୍ବ.ପ୍ର.): ଚାରି ବର୍ଷର ଭଲ ପାଇବା ପରେ ବି ପ୍ରେମିକ ବିବାହ କରିବାକୁ ମନାକଲେ। ଫଳରେ ପ୍ରେମିକା ନିରାଶ ହୋଇ ଶେଷରେ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ବାଲିକୁଦା ଥାନା ଅଞ୍ଚଳରେ ଏହିପରି ଘଟଣା ଘଟିଛି।
ସୂଚନାରୁ ଜଣାଯାଇଛି, ଥାନା ଅନ୍ତର୍ଗତ ବଡ଼ଗଁା ପଞ୍ଚାୟତର ତପନ ବିଶ୍ୱାଳ ଅନନ୍ତପୁର ପଞ୍ଚାୟତ ଅଞ୍ଚଳର ଜଣେ ଯୁବତୀଙ୍କୁ ଚାରି ବର୍ଷ ହେବ ପ୍ରେମ କରି ଆସୁଥିଲେ। ଫଳରେ ଉଭୟ ବିବାହ କରିବାର ନିଷ୍ପତ୍ତି ନେଇଥିଲେ। ତେଣୁ ବିବାହ ସମ୍ପର୍କରେ ଆଲୋଚନା ପାଇଁ ତପନ ଯୁବତୀଙ୍କ ସହ ତାଙ୍କ ଘରକୁ ରବିବାର ଆସିଥିଲେ। ଯେଉଁଠି ଯୁବତୀଙ୍କ ଘର ପଡ଼ିଥିଲା ସେଠି ତପନ ବାଇକ୍‌ ରୋକିଥିଲେ। ଯୁବତୀ ବାଇକ୍‌ରୁ ଓହ୍ଲାଇ ପଡ଼ିବା ପରେ ତପନ ଚାଲିଯିବାକୁ ଉଦ୍ୟମ କରିଥିଲେ। ହେଲେ ଯୁବତୀ ତାଙ୍କୁ ଛାଡ଼ି ନ ଥିଲେ। ଏହାପରେ ଉଭୟ ପଞ୍ଚାୟତର ସରପଞ୍ଚ ଓ ସ୍ଥାନୀୟ କେତେଜଣ ଭଦ୍ର ଲୋକଙ୍କୁ ଡକାଯାଇ ଘଟଣାର ସମାଧାନ କରାଯାଇଥିଲା। ଭଦ୍ରଲୋକଙ୍କ ନିଷ୍ପତ୍ତି ମୁତାବକ ସୋମବାର ସେମାନଙ୍କ ବିବାହ ସବ୍‌ରେଜିଷ୍ଟ୍ରାରଙ୍କ ନିକଟରେ ହେବାର ଥିଲା। ମାତ୍ର ତପନଙ୍କ ପରିବାର ପକ୍ଷରୁ ୩ ଲକ୍ଷ ଟଙ୍କାର ଯୌତୁକ ଦାବି କରାଯାଇଥିଲା। ହେଲେ ଏଥିରେ ଯୁବତୀଙ୍କ ପରିବାର ରାଜି ହୋଇ ନ ଥିଲେ। ସେମାନେ କହିଥିଲେ, ଆମେ ଗରିବ ଲୋକ ଏତେ ଟଙ୍କା ଦେଇ ପାରିବୁ ନାହିଁ। ୫୦ ହଜାର ଟଙ୍କା ଦେବାକୁ ସହମତି ପ୍ରକାଶ କରିଥିଲେ। ଏଥିରେ ତପନଙ୍କ ପରିବାର ରାଜି ହୋଇ ନ ଥିଲେ। ତେଣୁ ରେଜେଷ୍ଟ୍ରି ବିବାହ କାର୍ଯ୍ୟ ସାରି ଦିଅ, ସମୟ ସୁବିଧା ଦେଖି ଅବଶିଷ୍ଟ ଟଙ୍କା ଦେବାକୁ ଚେଷ୍ଟା କରିବି ବୋଲି ଯୁବତୀଙ୍କ ବାପା ପ୍ରସ୍ତାବ ରଖିଥିଲେ। ପରେ ତପନଙ୍କ ପରିବାର ବିବାହ କାର୍ଯ୍ୟ କରିବାକୁ ସହମତି ପ୍ରଦାନ କରିଥିଲେ। ଏହି ଆଲୋଚନା ଚାଲିଥିବାବେଳେ ତପନ ଯାଇ ଯୁବତୀଙ୍କ ଘର ଲୋକେ ମୋତେ ଡାକି ମାଡ ମରିଛନ୍ତି ବୋଲି ଥାନାରେ ଅଭିଯୋଗ କରିଥିଲେ। ଫଳରେ ବିବାହ କାର୍ଯ୍ୟ ହୋଇ ପାରି ନ ଥିଲା। ଯୁବତୀ ଏକଥା ଜାଣିବା ପରେ ଥାନାକୁ ଆସି ସବୁ କଥା କହିବା ସହିତ ନ୍ୟାୟ ପ୍ରଦାନ କରିବାକୁ ଦାବି କରିଛନ୍ତି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।