ବିବାହ ପାଇଁ ଜିଦ୍‌, ସମ୍ପତ୍ତିରେ ଭାଗ ମାଗିବା ହୋଇଥିଲା କାଳ: ହମିରପୁର ଜଙ୍ଗଲରେ ମା’ଝିଅଙ୍କୁ ହତ୍ୟା ପରେ ଗାଡ଼ି ଚଢ଼ାଇଥିଲେ ଅନୁପ ସାଏ

ଝାରସୁଗୁଡ଼ା ଅଫିସ,୧୪।୨-ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଅନୁପ ସାଏ ଗିରଫ ହେବା ପରେ ପୋଲିସ ଆଗରେ ମୁହଁ ଖୋଲିଛନ୍ତି। ଗୁରୁବାର ଦିନ ତମାମ ପଚରା ଉଚରା ପରେ କିଭଳି ଭାବେ ସେ ବ୍ରଜରାଜନଗର ଅଞ୍ଚଳର କଳ୍ପନା ଦାଶ ଓ ତାଙ୍କ ଝିଅ ବବଳୀଙ୍କ ହତ୍ୟା କରିଥିଲେ ତାହା ପ୍ରକାଶ କରିଥିଲେ। ଶୁକ୍ରବାର ରାୟଗଡ ଜିଲା ପୋଲିସ ଏସ୍‌ପି ସନ୍ତୋଷ ସିଂ ଏକ ଖବରଦାତା ସମ୍ମିଳନୀରେ ହତ୍ୟାକାଣ୍ଡ ନେଇ ସବିଶେଷ ସୂଚନା ଦେଇଛନ୍ତି ।

ହତ୍ୟାର କାରଣ:କଳ୍ପନା ଜଣେ ସ୍ବାମୀ ପରିତ୍ୟକ୍ତା ମହିଳା ଥିଲେ। ତାଙ୍କର ଗୋଟିଏ ଶିଶୁ କନ୍ୟା ମଧ୍ୟ ଥିଲା। ତେବେ ୨୦୧୧ ମସିହାରୁ ସେ ଅନୁପଙ୍କ ସଂସ୍ପର୍ଶରେ ଆସିଥିଲେ। ଏହା ମଧ୍ୟରେ କଳ୍ପନାଙ୍କୁ ଅନୁପ ଭୁବନେଶ୍ୱର ନେଇ ଏକ ଫ୍ଲାଟରେ ରଖୁଥିଲେ। ସେଠାରେ ଉଭୟେ ସ୍ତ୍ରୀ ସ୍ବାମୀ ଭାବେ ରହି ଆସୁଥିଲେ। ହେଲେ କିନ୍ତୁ ସ୍ତ୍ରୀର ମର୍ଯ୍ୟାଦା ପାଇପାରୁ ନ ଥିଲେ କଳ୍ପନା। ସେଥିପାଇଁ ଉଭୟଙ୍କ ମଧ୍ୟରେ ବିଭିନ୍ନ ସମୟରେ ଝଗଡା ଲାଗି ରହୁଥିଲା। ତେବେ ତାଙ୍କୁ ବିବାହ କରିବା ଓ ସମ୍ପତ୍ତିରେ ଭାଗ ଦେବା ପାଇଁ କଳ୍ପନା ଦାବି କରିଆସୁଥିଲେ, ଯାହା ପାଇଁ ଅନୁପ ଏହି ହତ୍ୟା କାଣ୍ଡ ଭିଆଇ ଥିଲେ।

କେମିତି ହତ୍ୟା କଲେ: କଳ୍ପନାଙ୍କଠାରୁ ଦୂରେଇଯିବା ପାଇଁ ଅନୁପ ହତ୍ୟା ଯୋଜନା କରିଥିଲେ। ଏବଂ ଓଡ଼ିଶାରେ ହତ୍ୟା ନ କରି ଛତିଶଗଡ଼ ରାଜ୍ୟରେ ହତ୍ୟାକଲେ କେହି ଜାଣି ପାରିବେ ନାହିଁ ଏବଂ ସେ ମଧ୍ୟ ଆରାମରେ ରହିପାରିବେ ବୋଲି ଚିନ୍ତା କରିଥିଲେ। ଏହା ପରେ କଳ୍ପନାଙ୍କୁ ଛତିଶଗଡ଼ ରାଜ୍ୟ ରାୟଗଡ଼ଠାରେ ବିବାହ କରିବେ ବୋଲି କହିଥିଲେ। ପୂର୍ବ ଯୋଜନା ମୁତାବକ କଳ୍ପନା ଓ ତାଙ୍କ ଝିଅ ବବଳୀକୁ ସେ ସାଙ୍ଗରେ ନେଇ ରାୟଗଡ ଯାଇଥିଲେ। ରାତି ଅନ୍ଧାର ସହ ଜଙ୍ଗଲ ରାସ୍ତାର ସୁଯୋଗ ନେଇ ଲୁହା ରଡରେ ମାରି ହତ୍ୟା କରିଥିଲେ। ପରେ ସେମାନଙ୍କୁ ଯେମିତି କେହି ନ ଚିହ୍ନି ନ ପାରନ୍ତି ସେଥିଲାଗି ଉଭୟଙ୍କ ଉପରେ ଗାଡି ଚଢେଇଦେଇ ସେଠାରୁ ଖସି ଆସିଥିଲେ।

ଅନୁପଙ୍କ ହେବ ନାର୍କୋ ଟେଷ୍ଟ ଓ ଡିଏନ୍‌ଏ ଟେଷ୍ଟ:
ଏହି ମାମଲାର ଅଧିକ ତଥ୍ୟ ପାଇଁ ଅନୁପଙ୍କ ନାର୍କୋ ଟେଷ୍ଟ କରାଯିବ। ସେହିପରି ଡିଏନ୍‌ଏ ଟେଷ୍ଟ ମଧ୍ୟ କରାଯିବ। ଏବଂ ରିମାଣ୍ଡରେ ମଧ୍ୟ ଅଣାଯିବ ବୋଲି ଏସ୍‌ପି ସନ୍ତୋଷ ସିଂ କହିଛନ୍ତି।