ବିବାହ କରିବାକୁ କହି ଠକିନେଲେ ୨୫ ଲକ୍ଷ

ଭୁବନେଶ୍ୱର,୧୮।୨(ବ୍ୟୁରେ): ପ୍ରଥମେ ବନ୍ଧୁତା, ପରେ ପ୍ରେମ। ସମ୍ପର୍କ ଆଗକୁ ବଢ଼ିବା ପରେ ବିବାହ କରିବାକୁ କହି ଯୁବତୀଙ୍କଠାରୁ ଠକିନେଲେ ୨୫ ଲକ୍ଷ। ପ୍ରତାରଣା ଓ ଠକେଇର ଶିକାର ହୋଇଥିବା ଯୁବତୀ ଜଣକ ହେଉଛନ୍ତି ଜଣେ ବ୍ୟାଙ୍କ୍‌ କର୍ମଚାରୀ। ଠକେଇ ଓ ପ୍ରତାରଣା କରି ଫେରାର ହୋଇଥିବା ପ୍ରେମିକଙ୍କୁ ଚନ୍ଦ୍ରଶେଖରପୁର ଥାନା ପୋଲିସ ବେଙ୍ଗାଲୁର୍‌ରୁ ଗିରଫ କରିଛି। ସେ ହେଲେ ବ୍ରହ୍ମପୁର ତ୍ରିନାଥ ନିବାସ ହାଉସିଂବୋର୍ଡ କଲୋନୀରେ ରହୁଥିବା ରାକେଶ କୁମାର ପାତ୍ର (୨୯)।
ପୋଲିସ ସୂଚନା ମୁତାବକ, ଯୁବତୀଙ୍କ ସହ ରାକେଶଙ୍କର ପ୍ରଥମେ ବ୍ରହ୍ମପୁରରେ ଦେଖାହୋଇଥିଲା। ଏହାପରେ ସେମାନଙ୍କ ମଧ୍ୟରେ ବନ୍ଧୁତାରୁ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ଯୁବତୀ ଜଣକ ଭୁବନେଶ୍ୱର ଚନ୍ଦ୍ରଶେଖରପୁରସ୍ଥିତ ଏକ ବ୍ୟାଙ୍କରେ ଚାକିରି କରୁଥିବାବେଳେ ରାକେଶ ବେଙ୍ଗାଲୁର୍‌ସ୍ଥିତ ଘରୋଇ କମ୍ପାନୀରେ ଚାକିରି କରନ୍ତି। ଯୁବତୀଙ୍କ ମନ ଜିଣିବା ପରେ ବିବାହ କରିବାକୁ କହି ରାକେଶ ତାଙ୍କଠାରୁ ଟଙ୍କା ଲୁଟିବାକୁ ଯୋଜନା କରିଥିଲେ। ନାନା ସମସ୍ୟାର ଆଳଦେଖାଇ ବିଭିନ୍ନ ସମୟରେ ଯୁବତୀଙ୍କଠାରୁ ଟଙ୍କା ଧାର୍‌ ସୂତ୍ରରେ ନେଇଥିଲେ। ୨୫ ଲକ୍ଷ ହାତେଇବା ପରେ ପ୍ରତାରଣା ଆରମ୍ଭ କରିଥିଲେ। ଯୁବତୀ ଜଣକ ଠକେଇର ଶିକାର ହୋଇଥିବା ଜାଣିବା ପରେ ରାକେଶଙ୍କୁ ଟଙ୍କା ଫେରସ୍ତ କରିବାକୁ କହିଥିଲେ। ନିରାଶ ହେବାରୁ ଗତ ସେପ୍ଟେମ୍ବର ୧୮ରେ ଥାନାର ଦ୍ୱାରସ୍ଥ ହୋଇଥିଲେ। ପୋଲିସ ୩୫୬/୧୯ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ଶୁକ୍ରବାର ଅଭିଯୁକ୍ତ ରାକେଶଙ୍କୁ ବେଙ୍ଗାଲୁରରୁ ଗିରଫ କରି ଓଡିଶା ଆଣିଥିଲା। ସୋମବାର ତାଙ୍କୁ ପଚରାଉଚରା ପରେ ପୋଲିସ କୋର୍ଟ ଚାଲାଣ କରିଛି।