ବିବାହ ଉତ୍ସବ ପାଲଟିଲା ଶୋକାକୁଳ ପରିବେଶ : ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ଜୀବନ ଗଲା

ରୂପ୍‌ସା, ୨୨।୬(ଡି.ଏନ.ଏ.): ବାଲେଶ୍ୱର ଜିଲା ସଦର ବ୍ଲକ ଛାନୁଆ ପଞ୍ଚାୟତ ଅନ୍ତର୍ଗତ ସୋଲପଟା ବଗଚରା ଗ୍ରାମରେ ଶନିବାର ଏକ ବିବାହ ଭୋଜି ଧୁମ୍‌ଧାମ୍‌ରେ ଚାଲିଥିବା ବେଳେ ଘଟିଛି ଏକ ଦୁଃଖଦ ଘଟଣା। ଭୋଜିରେ ଯୋଗ ଦେବାକୁ ଆସିଥିବା ୨ ନାବାଳିକା ଘରପାଖ ପୋଖରୀରେ ବୁଡିଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ଏହି ଖବର ପ୍ରଚାରିତ ହୋଇଯିବା ପରେ ଖୁସିର ମାହୋଲ ପାଲଟିଯାଇଥିଲା ଶୋକାକୁଳ ପରିବେଶ। ୨ ଝିଅଙ୍କୁ ହରାଇ ପରିବାର ଲୋକଙ୍କ ସହ ବନ୍ଧୁବାନ୍ଧବ ଦୁଃଖରେ ଭାଙ୍ଗିପଡିଛନ୍ତି।
ଏହି ଗ୍ରାମର ମୃତ୍ୟୁଞ୍ଜୟ ପ୍ରମାଣିକଙ୍କ ପୁଅ ଦେବୀଶଙ୍କରଙ୍କ ଶୁକ୍ରବାର ବିବାହ ଅନୁଷ୍ଠିତ ହୋଇଥିଲା। ଶନିବାର ଥିଲା ଭୋଜି। ବନ୍ଧୁବାନ୍ଧବ, ଦୂରସମ୍ପର୍କୀୟ ଓ ପରିବାରବର୍ଗ ସମସ୍ତେ ଏକାଠି ହୋଇଥିଲେ। ଅପରାହ୍ନ ପ୍ରାୟ ସାଢେ ଗୋଟାଏ ବେଳେ ବର୍ଷା ଛାଡ଼ି ଯିବା ପରେ ମୃତ୍ୟୁଞ୍ଜୟଙ୍କ ସମ୍ପର୍କୀୟ ୨ ନାତୁଣୀ ବର୍ଷା(୭) ଓ ଇତିଶ୍ରୀ(୬) ଘର ପାଖ ପୋଖରୀହୁଡ଼ାରେ ବୁଲୁଥିଲେ। ଅସାବଧାନତାବଶତଃ ସେମାନେ ପୋଖରୀ ପାଣିରେ ପଡ଼ିଯାଇଥିଲେ। ପରିବାର ଲୋକେ ସେମାନଙ୍କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଇଥିଲେ। ହେଲେ ସେତେବେଳକୁ ଉଭୟଙ୍କର ପ୍ରାଣବାୟୁ ଉଡିଯାଇଥିଲା। ଡାକ୍ତର ନାବାଳିକାଦ୍ୱୟଙ୍କୁ ମୃତ ଘୋଷଣା କରିଥିଲେ। ବର୍ଷା ମୃତ୍ୟୁଞ୍ଜୟଙ୍କ ପୁତୁରା ଅନୁକୂଳ ପ୍ରମାଣିକଙ୍କ ଝିଅ ହୋଇଥିବା ବେଳେ ଇତିଶ୍ରୀ ମୃତ୍ୟୁଞ୍ଜୟଙ୍କ ଝିଆରୀଙ୍କ ଝିଅ ଅଟନ୍ତି। ଇତିଶ୍ରୀଙ୍କ ଘର ସିଂଲା ଥାନା ଆଳୁମେଦା ଗ୍ରାମରେ। ବସ୍ତା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଜାରି ରଖିଛି।