ବିବାହର ୭ ମାସ ନ ପୂରୁଣୁ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ: ପୋଖରୀରୁ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାରଲୋକେ

ତିର୍ତ୍ତୋଲ,୨୯।୮(ଡି.ଏନ୍‌.ଏ.): ଜଗତସିଂହପୁର ଜିଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ବଣିତୋ ଗ୍ରାମରେ ଗୁରୁବାର ଜଣେ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ହେଲେ ଗ୍ରାମର ରାଜକିଶୋର ବେହେରାଙ୍କ ସ୍ତ୍ରୀ ଚିନ୍ମୟୀ। ଘର ନିକଟରେ ଥିବା ଏକ ପୋଖରୀରୁ ତାଙ୍କ ମୃତଦେହ ପୋଲିସ ଜବତ କରି ପୋଲିସ ବ୍ୟବଚ୍ଛେଦ ନିମନ୍ତେ ଜଗତସିଂହପୁର ପଠାଇଛି। ତେବେ ବିବାହକୁ ୭ ମାସ ନପୁରୁଣୁ ଚିନ୍ମୟୀଙ୍କ ଏଭଳି ମୃତ୍ୟୁକୁ ନେଇ ପରିବାରଲୋକେ ସନ୍ଦେହ କରିଛନ୍ତି। ଯୌତୁକ ପାଇଁ ତାଙ୍କୁ ହତ୍ୟା କରାଯାଇଥିବା ବଡ଼ବାପା ସୁରେଶ ଦାସ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଅଭିଯୋଗ ମୁତାବକ, ଚଳିତ ବର୍ଷ ଫେବୃଆରୀ ୧୦ରେ ଏହି ଥାନା ଅନ୍ତର୍ଗତ ବିରିତୋଳ ପଞ୍ଚାୟତ ସଲମପୁର ଗ୍ରାମର ସ୍ବର୍ଗତ ବୀରକିଶୋର ଦାସଙ୍କ ଝିଅ ଚିନ୍ମୟୀଙ୍କ ସହ ରାମଚନ୍ଦ୍ର ବେହେରାଙ୍କ ପୁଅ ରାଜ କିଶୋରଙ୍କ ବୈଦିକ ରୀତିରେ ବିବାହ ହୋଇଥିଲା। ବିବାହ ସମୟରେ ଯୌତୁକ ହିସାବରେ ୧ ଲକ୍ଷ ଟଙ୍କା ସହ ୧୫ ଲକ୍ଷ ଟଙ୍କାର ଅନ୍ୟାନ୍ୟ ସାମଗ୍ରୀ ଦିଆଯାଇଥିଲା। ହେଲେ ପରେ ଅଧିକ ଯୌତୁକ ପାଇଁ ଶାଶୁଘରଲୋକେ ଚିନ୍ମୟୀଙ୍କ ଉପରେ ଚାପ ପକାଇବା ସହ ତାଙ୍କୁ ନିଯ୍ୟାତନା ଦେଇ ଆସୁଥିଲେ। ହେଲେ ଗୁରୁବାର ସକାଳେ ସେ ନିଖୋଜ ଥିବା ନେଇ ଚିନ୍ମୟୀଙ୍କ ବାପଘର ଲୋକଙ୍କୁ ଖବର ମିଳିଥିଲା। ଏହାର କିଛି ସମୟ ପରେ ତାଙ୍କ ମୃତଦେହ ପୋଖରୀରେ ଭାସୁଥିବା ଦେଖିବାକୁ ମିଳିଥିଲା। ତେବେ ତାଙ୍କ ମୃତ୍ୟୁକୁ ନେଇ ସନ୍ଦେହ ଉପୁଜୁଥିବା ସୁରେଶ ପ୍ରକାଶ କରିଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।