ବିବାହର ୨ ସପ୍ତାହ ପରେ ସ୍ବାମୀଙ୍କୁ ମିଳିଲା ଶକ୍ତ ଧକ୍କା

ବିବାହ ପାଇଁ ଯୁବକ ଯୁବତୀ କେତେ ସ୍ବପ୍ନ ଦେଖିଥାନ୍ତି। ମନର ମଣିଷକୁ ନେଇ କେତେ ଆଶା ବାନ୍ଧିଥାନ୍ତି। ହେଲେ ଯେତେବେଳେ ତାଙ୍କୁ ବିଶ୍ୱାସରେ ବିଷ ମିଳେ ସେତେବେଳେ ଏକ ଶକ୍ତ ଧକ୍କା ଲାଗିଥାଏ। କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଉଗାଣ୍ଡାର କାୟୁଗାଁ ଜିଲାରେ। ଉକ୍ତ ସହରରେ ରହୁଥିବା ଇମାମ ଶେଖ୍‌ ମହମ୍ମଦ ମୁଣ୍ଟୁବା ବିବାହର କିଛି ଦିନ ପରେ ଜାଣିବାକୁ ପାଇଥିଲେ ଯେ, ତାଙ୍କ ସ୍ତ୍ରୀ ଜଣେ ପୁରୁଷ, ଯାହା ତାଙ୍କୁ ବ୍ୟଥିତ କରିଥିଲା। ସୂଚନାଯୋଗ୍ୟ, ଇମାମ ଦୁଇ ସପ୍ତାହ ପୂର୍ବରୁ ବହୁ ଆଡମ୍ବରରେ ଓ ପାରମ୍ପରିକ ରୀତିନୀତିରେ ସବ୍ବୁଲାହ ନାବୁକିରାଙ୍କୁ ବିବାହ କରିଥିଲେ। ବିବାହ ପରେ ଇମାମ ତାଙ୍କୁ ଘରକୁ ଆଣିଥିଲେ। ତେବେ ଦୁହିଁଙ୍କ ଭିତରେ କୌଣସି ପ୍ରକାର ଶାରୀରିକ ସମ୍ବନ୍ଧ ନ ଥିଲା। ତେଣୁ ଇମାମ ତାଙ୍କ ପତ୍ନୀ ଜଣେ ମହିଳା କି ପୁରୁଷ ବୋଲି ଜାଣି ପାରି ନ ଥିଲେ। କିଛି ଦିନ ପରେ ଜଣେ ଚୋର ଏକ ଘରୁ ଟିଭି, କପଡା ଭଳି କିଛି ଜିନିଷ ଚୋରି କରିଥିବା ଅଭିଯୋଗରେ ତାଙ୍କୁ ଖୋଜିବା ପାଇଁ ହଠାତ୍‌ ଇମାମଙ୍କ ଘରେ ପୋଲିସ ପହଞ୍ଚିଥିଲା। ପୋଲିସକୁ ଇମାମଙ୍କ ସ୍ତ୍ରୀ ଉପରେ ସନ୍ଦେହ ହେବାରୁ ମହିଳା ପୋଲିସ ଅଧିକାରୀ ତାଙ୍କୁ ଯାଞ୍ଚ କରିଥିଲେ। ସେହି ସମୟରେ ଜଣାପଡ଼ିଥିଲା ଯେ, ସବ୍ବୁଲାହ ଜଣେ ମହିଳା ନୁହଁନ୍ତି ବରଂ ଜଣେ ପୁରୁଷ। ଏନେଇ ଜାଣିବା ପରେ ଇମାମ ବିଶ୍ୱାସ କରିପାରି ନ ଥିଲେ। ଏହାପରେ ପୋଲିସ ତାଙ୍କୁ ଗିରଫ କରିଥିଲା। ଉକ୍ତ ଚୋର ଜଣକ ହେଉଛନ୍ତି ୨୭ ବର୍ଷୀୟ ରିଚର୍ଡ ତୁମୁଶାବେ। ତେବେ ରିଚର୍ଡ ନିଜର ଦୋଷ ସ୍ବୀକାର କରିଥିବା ବେଳେ ଇମାମଙ୍କୁ ବିବାହ କରି ତାଙ୍କ ଘରୁ ଲୁଟ କରିବା ମୂଳ ଉଦ୍ଦେଶ୍ୟ ଥିବା ବୋଲି ସେ ପୋଲିସକୁ କହିଛନ୍ତି। ଆଉ ଏଥିରେ ତାଙ୍କର ଜଣେ ସମ୍ପର୍କୀୟ ତାଙ୍କୁ ସାହାଯ୍ୟ କରିଥିଲେ। ଉକ୍ତ ମହିଳାଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

Share