ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା: ପ୍ରେମିକ ଫେରାର ହେବା ପରେ ଅନୁଗୋଳ ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ଯୁବତୀ

ଅନୁଗୋଳ ଅଫିସ,୧୯।୬: ଅନୁଗୋଳ ଜିଲା ଜରପଡ଼ା ଥାନା ଅଞ୍ଚଳର ଜଣେ ଯୁବତୀ ଓ ତାଙ୍କ ପରିବାରଲୋକେ ବୁଧବାର ନ୍ୟାୟ ପାଇଁ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏପରିକି ନ୍ୟାୟ ନ ମିଳିଲେ ଆତ୍ମାହୂତି ଦେବେ ବୋଲି ଯୁବତୀଜଣଙ୍କ ଚେତାବନୀ ଦେଇଛନ୍ତି।

ସୂଚନାନୁଯାୟୀ, ଉକ୍ତ ଥାନା ଅନ୍ତର୍ଗତ ଜରପଡ଼ା ଡେରଜାଙ୍ଗ ଅଞ୍ଚଳର ଜଣେ ଯୁବକ ବିବାହ ପ୍ରଲୋଭନ ଦେଖାଇ ସମ୍ପୃକ୍ତ ଯୁବତୀଙ୍କ ସହ ଶାରିରୀକ ସମ୍ପର୍କ ରଖି ଆସୁଥିଲେ। ଏବେ ଯୁବତୀ ୬ ମାସର ଅନ୍ତସତ୍ତ୍ୱା। ଏକଥା ସେ ଜାଣିବା ପରେ ମା’ଙ୍କୁ ଅବଗତ କରାଇଥିଲେ। ମାତ୍ର ବିବାହ କରିବା ପୂର୍ବରୁ ଏଭଳି କାର୍ଯ୍ୟକୁ ନେଇ ସାମାଜିକ ଗଞ୍ଜଣା ଭୟରେ ଯୁବତୀଙ୍କ ମା’ କିଛିଦିନ ତଳେ ଆତ୍ମହତ୍ୟା କରିଛନ୍ତି। ଅପରପକ୍ଷେ ଉକ୍ତ ପ୍ରେମିକ ଫେରାର ହୋଇଯାଇଛନ୍ତି। ଫଳରେ ଅସହାୟ ଯୁବତୀ ଓ ତାଙ୍କ ପରିବାରଲୋକେ ଏ ନେଇ ଜରପଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା ପୋଲିସ ନିରବତା ଅବଲମ୍ବନ କରିଛି। ଏଣୁ ନ୍ୟାୟ ପାଇବା ଆଶାରେ ଯୁବତୀ ପରିବାରଲୋକଙ୍କ ସହ ଅନୁଗୋଳ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି।