ବିବାହର ଦୁଇ ଦିନ ପରେ କନ୍ୟାଙ୍କ କରୋନା ରିପୋର୍ଟ ଆସିଲା ପଜିଟିଭ: ବର ସମେତ ୩୨ ଜଣ କ୍ୱାରାଣ୍ଟାଇନରେ

ଭୋପାଳ,୨୧।୫: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ବୁଧବାର ୩୯ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲା। ଏମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଥିଲା। ତେବେ ସଂକ୍ରମିତଙ୍କ ମଧ୍ୟରେ ଜଣେ ୧୫ ଦିନର ଜଣେ ଶିଶୁ ଥିବା ବେଳେ ଜଣେ ନବବିବାହିତା ମଧ୍ୟ ରହିଥିବା ଜଣାପଡିଛି। ନବବିବାହିତାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ଏବେ ଚିନ୍ତା ବଢିଯାଇଛି। ଏହାପରେ ବର ସହିତ ବର ପକ୍ଷର ପ୍ରାୟ ୩୨ ଜଣଙ୍କୁ କ୍ୱାରାଣ୍ଟାଇନରେ ରଖାଯାଇଛି। ସୂଚନାଯୋଗ୍ୟ, ସୋମବାର ଏହି ବିବାହ ହୋଇଥିବା ବେଳେ ଏହାର ୭ ଦିନ ପୂର୍ବରୁ କନ୍ୟାଙ୍କୁ ଜ୍ୱର ହୋଇଥିଲା। ଔଷଧ ଖାଇବା ପରେ ବି ଏହା କମି ନ ଥିଲା। ଏହାପରେ ତାଙ୍କର କରୋନା ଟେଷ୍ଟ ପାଇଁ ନମୁନା ସଂଗ୍ରହ କରାଯାଇଥିଲା। ହେଲେ ରିପୋର୍ଟ ଆସିବା ପୂର୍ବରୁ ତାଙ୍କର ବିବାହ କରି ଦିଆଯାଇଥିଲା। ଅନ୍ୟପଟେ ମଧ୍ୟପ୍ରଦେଶରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ପାଖାପାଖି ୫,୭୩୫ ଥିବା ବେଳେ ଏମାନଙ୍କ ମଧ୍ୟରୁ ୨,୭୩୩ ଜଣ ସୁସ୍ଥ ହୋଇ ସାରିଲେଣି ଓ ରାଜ୍ୟରେ କରୋନା ସଂକ୍ରମଣରେ ୨୬୭ଜଣଙ୍କ ମୃତ୍ୟୁ ହେଲାଣି।

Share