ବିବାହକୁ ନେଇ ରାଗିଲେ ରବୀନା

ନୂଆଦିଲ୍ଲୀ: ଦେଶ ସାରା ଲକ୍‌ଡାଉନ୍‌ ହୋଇଥିବା ବେଳେ କନର୍ର୍ାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ବାମୀଙ୍କ ପୁଅ ନିଖିଲ ଗୌଡା ବିବାହ କରିଛନ୍ତି। ଏହି ବିଷୟ ବର୍ତ୍ତମାନ ବଡ଼ ଚର୍ଚ୍ଚାର ବିଷୟ। ଏନେଇ ବଲିଉଡ୍‌ ଅଭିନେତ୍ରୀ ରବିନା ଟଣ୍ଡନ ଖୁବ୍‌ ରାଗିଯାଇଛନ୍ତି ଏବଂ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଏହା ଅତ୍ୟନ୍ତ ଦୁଃଖର ବିଷୟ। ସମସ୍ତେ ଏଥିପ୍ରତି ଦାୟିତ୍ୱବାନ ହେବା ଦରକାର। ରବୀନା ନିଜ ଟ୍ବିଟରରେ ଏହି ବିବାହ ଖବର ଶେୟାର କରି ଲେଖିଛନ୍ତି, ଠିକ୍‌ ଅଛି ଏହି ବିବାହରେ ଯେଉଁ ବିଚରା ଲୋକ ଯୋଗ ଦେଇଥିଲେ, ସେମାନେ ହୁଏତ ଜାଣିନାହାନ୍ତି ଦେଶରେ କ’ଣ ଚାଲିଛି। ଗରିବ, ଅସହାୟମାନେ ଖାଇବାକୁ ପାଉ ନ ଥିବାବେଳେ କେତେକ ଲୋକ ଅନ୍ୟ ରାଜ୍ୟ ଏବଂ ଦେଶରେ ଫସି ରହିଛନ୍ତି। ଏହି ଅସହାୟ ଲୋକଙ୍କୁ ବିପଦ ସମୟରେ ସାହାଯ୍ୟ କରାଯାଉଛି। ମୁଁ ଭାବୁଛି ବିବାହ ଭୋଜିରେ କ’ଣ ପରଶା ଯାଇଥିବ। ସେ ଆଉ ମଧ୍ୟ କହିଛନ୍ତି ଯେ, ଆମେମାନେ ନିଜ ଭିଟାମାଟିର ବହୁତ କ୍ଷତି କରୁଛେ। ସେଥିଲାଗି ପ୍ରକୃତି ଏବେ ଆମକୁ ଘରୁ ବାହାରିବାକୁ ଦେଉନାହିଁ। ଏବେ ସମସ୍ତେ ସମାନ। ଧନୀ, ଗରିବ କେହିନାହାନ୍ତି। ଏହିଭଳି ବିପଦ ସମୟରେ କାହାକୁ ଚାକିରିରୁ ନ କାଢ଼ିବାକୁ ସେ ନିବେଦନ କରିଛନ୍ତି। ଦରମା ମଧ୍ୟ ନ କାଟିବାକୁ କହିଛନ୍ତି। ଲୋକେ ବହୁତ କଷ୍ଟରେ ଅଛନ୍ତି। କରୋନା ଭଳି ମହାମାରୀକୁ ଜିତିବାକୁ ହେଲେ ସମସ୍ତଙ୍କୁ ସାମାଜିକ ଦୂରତା ପାଳନ କରିବାକୁ ପଡ଼ିବ। ଘରେ ସତର୍କର ସହ ସୁରକ୍ଷିତ ରହିବାକୁ ପଡ଼ିବ ବୋଲି ରବୀନା କହିଛନ୍ତି।

Share