ବିବାହକୁ ଡରି ଘରୁ ପଳାଇଯାଇଥିବା ମାଣ୍ଡେଲା ଶେଷରେ ୩ ଜଣଙ୍କୁ ବିବାହ କରିଥିଲେ

କେପ୍‌ ଟାଉନ୍‌,୧୮।୭: ବର୍ଣ୍ଣ ବୈଶମ୍ୟକୁ ନେଇ ସ୍ବର ଉତ୍ତୋଳନ କରିଥିବା ଦକ୍ଷିଣ ଆଫିକ୍ରାର ନେତା ନେଲସନ ମାଣ୍ଡେଲା ଘରେ ଘରେ ବେଶ୍‌ ପରିଚିତ। ତାଙ୍କୁ ‘ଚାମ୍ପିୟନ ଅଫ୍‌ ଫ୍ରିଡମ’ ବୋଲି କୁହାଯାଏ। ବର୍ଣ୍ଣବୈଶମ୍ୟକୁ ନେଇ ସେ ତାଙ୍କ ଜୀବନକାଳ ମଧ୍ୟରେ ପ୍ରାୟ ୨୭ ବର୍ଷ କାଳ ଲଢେଇ କରିଥିଲେ। ତାଙ୍କୁ ଦକ୍ଷିଣ ଆଫ୍ରିକାର ଦ୍ୱିତୀୟ ଗାନ୍ଧୀ ବୋଲି କୁହାଯାଏ। କାରଣ ସେ ଗାନ୍ଧିଜୀଙ୍କ ଭଳି ଅହିଂସାରେ ବିଶ୍ୱାସ କରୁଥିଲେ। ଗାନ୍ଧିଜୀଙ୍କୁ ସେ ପ୍ରେରଣା ବୋଲି ଭାବିବା ସହ ତାଙ୍କରି ପଥ ଅନୁସରଣ କରୁଥିଲେ। ମାଣ୍ଡେଲାଙ୍କୁ ‘ଭାରତ ରତ୍ନ’ ସହ ‘ନୋବେଲ ଶାନ୍ତି ପୁରସ୍କାର’ରେ ମଧ୍ୟ ସମ୍ମାନୀତ କରାଯାଇଥିଲା। ଦକ୍ଷିଣ ଆଫ୍ରିକାର ସେ ଥିଲେ ପ୍ରଥମ କୃଷ୍ଣକାୟ ରାଷ୍ଟ୍ରପତି। ୧୯୧୮ଜୁଲାଇ ୧୮ରେ ଜନ୍ମ ନେଇଥିବା ମାଣ୍ଡେଲା ପ୍ରଥମରୁ ବର୍ଣ୍ଣବୈଶମ୍ୟର ଶିକାର ହୋଇଥିବା ବେଳେ ଏହା ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ। ଜଣେ କ୍ରାନ୍ତିକାରୀ ଭାବେ ମାଣ୍ଡେଲାଙ୍କ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ପରିବାର ଲୋକେ ତାଙ୍କୁ ବିବାହ ଦେବାକୁ ସ୍ଥିର କରିଥିଲେ। ହେଲେ ସେ ତାଙ୍କ ଲକ୍ଷ୍ୟରୁ ବାହାରି ନ ଯିବାକୁ ଚାହୁଁଥିବାରୁ ଘରଛାଡି ଜୋହାନସବର୍ଗ ଚାଲି ଯାଇଥିଲେ। ସେଠାରେ ସେ ଉଚ୍ଚଶିକ୍ଷା ସହ ୧୯୪୪ରେ ଆଫ୍ରିକାନ୍‌ ନ୍ୟାଶନାଲ କଂଗ୍ରେସରେ ଯୋଗ ଦେଇଥିଲେ। ଏହାସହ ନିଜର ଯୁବଶାଖା ଖୋଲିଥିଲେ। ସେହିବର୍ଷ ହିଁ ଏଲବିନ ନୋଟୋକ ମସେଙ୍କ ସହ ତାଙ୍କର ଦେଖା ହୋଇଥିଲା ଓ ସେ ତାଙ୍କୁ ପ୍ରଥମ ପତ୍ନୀ ଭାବେ ଗ୍ରହଣ କରିଥିଲେ। ଏମାନଙ୍କର ୪ଟି ସନ୍ତାନ ଥାଇ ମଧ୍ୟ ୧୯୫୭ରେ ଏହି ବିବାହରେ ବିଚ୍ଛେଦ ହୋଇଥିଲା। ୧୯୫୮ରେ ମାଣ୍ଡେଲା ଓ୍ବିନି ମେଡିକିଜେଲାଙ୍କୁ ଦ୍ୱିତୀୟ ବିବାହ କଲେ। ହେଲ ଏହା ମଧ୍ୟ ୧୯୯୬ରେ ବିଚ୍ଛେଦର ରୂପ ନେଲା। ଆଉ ୧୯୯୮ରେ ମାଣ୍ଡେଲା ଗ୍ରାସା ମାସେଲଙ୍କୁ ତୃତିୟ ଥର ପାଇଁ ବିବାହ କରିଥିଲେ। ଦୀର୍ଘ ଦିନ ଧରି ଶ୍ୱାସରୋଗରେ ପୀଡିତ ଥିବା ମାଣ୍ଡେଲା ଡିସେମ୍ବର ୫, ୨୦୧୩ରେ ୯୫ ବର୍ଷ ବୟସରେ ଦେହତ୍ୟାଗ କରିଥିଲେ। ଶେଷ ସମୟ ପର୍ଯ୍ୟନ୍ତ ତାଙକ ତୃତୀୟ ପତ୍ନୀ ମାଣ୍ଡେଲଙ୍କ ନିକଟରେ ଥିଲେ।

Share