Categories: ଜାତୀୟ

ବିବାଦ ସତ୍ତ୍ୱେ ବିଜୟୀ

ନୂଆଦିଲ୍ଲୀ,୨୫ା୫(ପି.ଟି.):ନିର୍ବାଚନ ପ୍ରଚାର ବେଳେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ଭାଜପା ପ୍ରାର୍ଥୀ ପ୍ରଜ୍ଞାସିଂ ଠାକୁର ଏବଂ ସମାଜବାଦୀ ପାର୍ଟି ନେତା ଆଜମ୍‌ ଖାନ୍‌ ସେମାନଙ୍କ ଆସନରୁ ବିଜୟୀ ହୋଇଛନ୍ତି। ବିବାଦୀୟ ମନ୍ତବ୍ୟ ଏବଂ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଲାଗି ଏହି ନେତାମାନଙ୍କ ବିରୋଧରେ ଇସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ମାଲେଗାଓଁ ବିସ୍ଫୋରଣ ଅଭିଯୁକ୍ତ ପ୍ରଜ୍ଞା ଠାକୁର ମଧ୍ୟପ୍ରଦେଶର ଭୋପାଳ ଆସନରୁ ୩,୬୪,୮୨୨ ଭୋଟ ବ୍ୟବଧାନରେ ଜିତିଛନ୍ତି। ସେ ବରିଷ୍ଠ କଂଗ୍ରେସ ନେତା ଦିଗ୍‌ବିଜୟ ସିଂଙ୍କୁ ହରାଇଛନ୍ତି। ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡ୍‌ସେଙ୍କୁ ଦେଶଭକ୍ତ କହି ପ୍ରଜ୍ଞା ଚର୍ଚ୍ଚାକୁ ଆସିଥିଲେ। ଏହା ପୂର୍ବରୁ ସେ ୨୬/୧୧ ମୁମ୍ବାଇ ଆକ୍ରମଣରେ ଶହୀଦ ହୋଇଥିବା ଆଇପିଏସ୍‌ ଅଫିସର ହେମନ୍ତ କର୍‌କରେଙ୍କ ପ୍ରତି ବିବାଦୀୟ ମନ୍ତବ୍ୟ ଦେଇ କ୍ଷମା ମାଗିଥିଲେ। ବିବାଦୀୟ ମନ୍ତବ୍ୟ ପାଇଁ ଜଣାଶୁଣା ଏସ୍‌ପି ପ୍ରାର୍ଥୀ ଆଜମ୍‌ ଖାନ୍‌ ରାମପୁର ଆସନରୁ ଲକ୍ଷେରୁ ଊର୍ଦ୍ଧ୍ୱ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ପ୍ରଚାର ବେଳେ ସେ ଭାଜପା ପ୍ରାର୍ଥୀ ତଥା ଅଭିନେତ୍ରୀ ଜୟାପ୍ରଦାଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ଦେଇଥିଲେ। ସେହିପରି ଆଉ ଜଣେ ବିବାଦୀୟ ନେତା ଭାଜପାର ଗିରିରାଜ ସିଂ ବେଗୁସରାଇ ଆସନରୁ ୪,୨୨,୨୧୭ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିବା ଭାଜପାର ନଳୀନ କୁମାର କାଟିଲ କର୍ନାଟକର ଦକ୍ଷିଣ କନ୍ନଡ ଆସନରୁ ବିଜୟୀ ହୋଇଛନ୍ତି। ଗଡ୍‌ସେଙ୍କୁ ନେଇ ଟୁଇଟ୍‌ କରିଥିବା ଭାଜପା ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଅନନ୍ତକୁମାର ହେଗ୍‌ଡେ ମଧ୍ୟ ନିର୍ବାଚନ ଜିତିଛନ୍ତି। ଏକାଧିକ ବିବାଦୀୟ ମନ୍ତବ୍ୟ ଦେଇଥିବା ଭାଜପାର ଯୁବନେତା ତେଜସ୍ବୀ ସୂର୍ଯ୍ୟ ବେଙ୍ଗାଲୁରୁ ଆସନରୁ ବିଜୟୀ ହୋଇଛନ୍ତି। ବାଲାକୋଟକୁ ନେଇ ବିବାଦୀୟ ବୟାନ ଦେଇଥବା ବଲିଉଡ ଅଭିନେତା ସନ୍ନି ଦେଓଲ ଗୁର୍‌ଦାସପୁର ଆସନରୁ ଜିତିଛନ୍ତି।

Share