Categories: ଜାତୀୟ

ବିବାଦୀୟ ଜମି ଉପରୁ ଦାବି ଛାଡ଼ିଲେ ମୁସଲମାନ

ନୂଆଦିଲ୍ଲୀ,୩ା୩ (ପି.ଟି.): ଦୀର୍ଘ ୧୦ ବର୍ଷ ଧରି ଦିଲ୍ଲୀର ଶାହରନପୁରସ୍ଥିତ ଏକ ଜମିକୁ ନେଇ ଲାଗି ରହିଥିବା ବିବାଦର ପରିସମାପ୍ତି ଲାଗି ମୁସଲମାନ ଓ ଶିଖ୍‌ ସମ୍ପ୍ରଦାୟ ନିଷ୍ପତ୍ତି ନେଇଛନ୍ତି। ଏହି ଜମିକୁ ନେଇ ୨୦୧୪ରେ ଦଙ୍ଗା ସୃଷ୍ଟି ହୋଇଥିଲା। ନିକଟରେ ଉତ୍ତରପୂର୍ବ ଦିଲ୍ଲୀ ଦଙ୍ଗାବେଳେ ମୁସଲମାନମାନଙ୍କୁ ସହାୟତାର ହାତ ବଢ଼ାଇଥିଲେ ଶିଖ୍‌ ସମ୍ପ୍ରଦାୟ। ଫଳରେ କୃତଜ୍ଞତାର ନିଦର୍ଶନ ସ୍ବରୂପ ମୁସଲମାନ ସମ୍ପ୍ରଦାୟ ବିବାଦୀୟ ଜମି ଉପରୁ ଦାବି ଫେରାଇନେବାକୁ ନିଷ୍ପତ୍ତି ନେଇଛନ୍ତି। ଦୁଇ ଦଶନ୍ଧି ପୂର୍ବେ କୁତୁବଶେର ଅଞ୍ଚଳରେ ଗୁରୁଦ୍ୱାର କମିଟି ଉକ୍ତ ଜମିକୁ କିଣିଥିଲା। ଗୁରୁଦ୍ୱାର ପରିସର ବଢ଼ାଇବା ଏହି ଜମି କିଣିବାର ଉଦ୍ଦେଶ୍ୟ ଥିଲା। ଜମି କିଣିବା ପରେ ସେଠାରେ ଥିବା ଏକ ମସ୍‌ଜିଦ ସମେତ କେତେକ କୋଠାକୁ ଭାଙ୍ଗିଦିଆଯାଇଥିଲା। ୨୦୧୪ ଜୁଲାଇରେ ସେଠାରେ ଗୁରୁଦ୍ୱାର କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାବେଳେ ଏହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ଏହ ଦଙ୍ଗାରେ ୩ ଜଣଙ୍କ ମୃତ୍ୟୁ ହେବା ସହ ୩୩ ଜଣ ଆହତ ହୋଇଥିଲେ। ଶେଷରେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚଥିଲା। ଏବେ ମୁସଲମାନ ସମ୍ପ୍ରଦାୟ ଉକ୍ତ ଜମି ଉପରୁ ଅଧିକାର ତ୍ୟାଗ କରିଛନ୍ତି। ତାହା ବଦଳରେ ସେମାନଙ୍କୁ ବିକଳ୍ପ ଜମି ଯୋଗାଇ ଦେବା ସହ ମସ୍‌ଜିଦ ନିର୍ମାଣ ଖର୍ଚ୍ଚ ଦେବା ଲାଗି ଗୁରୁଦ୍ୱାର ପରିଚାଳନା କମିଟି ରାଜି ହୋଇଛି।

Share