ବିପୁଳ ପରିମାଣର ଶାଗୁଆନ, ଶାଳ କାଠ ଜବତ: ୨ ଅଟକ

ଛେଣ୍ଡିପଦା,୪।୧(ସ୍ବ.ପ୍ର): ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳ ଅନ୍ତର୍ଗତ କୋରଡ଼ା ଗାଁରେ ମଙ୍ଗଳବାର ଛେଣ୍ଡିପଦା ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ପରିମାଣର ଶାଗୁଆନ ଓ ଶାଳ କାଠ ଜବତ କରାଯାଇଛି। ଏହା ସହ ଘଟଣାରେ ସମ୍ପୃକ୍ତ ୨ ଜଣଙ୍କୁ ଅଟକ ରଖାଯାଇଛି। ଅଟକ ବ୍ୟକ୍ତିମାନେ ହେଲେ ଢେଙ୍କାନାଳ ଜିଲା ଦୁଦୁରକୋଟ ଗ୍ରାମର ପ୍ରଭାକର ନାଏକ ଓ ପ୍ରକାଶ ନାଏକ।
ପ୍ରକାଶ ଯେ, କୋରଡ଼ା ଗାଁର ଜଣେ ବ୍ୟବସାୟୀ ବିପୁଳ ପରିମାଣର ମୂଲ୍ୟବାନ ଗଛ ଜଙ୍ଗଲରୁ ବେଆଇନ ଭାବେ କାଟି ଗ୍ରାମର ବିଦ୍ୟାଳୟ ନିକଟସ୍ଥ ଏକ ବାଉଁଶ ବଣ ଭିତରେ ଉକ୍ତ କାଠକୁ କରତରେ କଟା ଯାଉଥିବା ଖବର ପାଇଥିଲେ। ପରେ ବନ ବିଭାଗ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ବହୁ ମୂଲ୍ୟବାନ ଶାଗୁଆନ ଏବଂ ଶାଳ କାଠ କଟା ଯାଇଥିବା ବେଳେ ବିପୁଳ ପରିମାଣର ଶାଳ ଓ ଶାଗୁଆନ ଲଗ୍‌ ପଡିଥିବା ଦେଖିବାକୁ ମିଳିଥିଲା । ବନବିଭାଗ ଉକ୍ତ କାଠକୁ ଜବତ କରି ଦୁଇଟି ଟ୍ରାକ୍ଟରରେ ବନାଞ୍ଚଳ କାର୍ଯ୍ୟାଳୟକୁ ଆଣିଥିଲା। ଚଢାଉ ବେଳେ ଢେଙ୍କାନାଳ ଜିଲା ଦୁଦୁରକୁଟ ଅଞ୍ଚଳର ପ୍ରକାଶ ନାଏକ ଓ ପ୍ରଭାକର ନାଏକଙ୍କୁ ବନ ବିଭାଗ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି । ଅପରପକ୍ଷେ ଏହି ବେଆଇନ କାରବାରର ମୁଖ୍ୟ ଅଭିଯୁକ୍ତ ବନବିଭାଗ କର୍ମଚାରୀଙ୍କୁ ଦେଖି ଫେରାର ହୋଇଯାଇଥିବା ଜଣାପଡ଼ିଛି ।