ବିପର୍ଯ୍ୟସ୍ତ ଅବସ୍ଥାରେ ଜଟଣୀ କୃଷକ ବଜାର: ଲକ୍ଷାଧିକ ଟଙ୍କା ବ୍ୟୟ, କାମରେ ଲାଗୁନି

ଜଟଣୀ,୧୦।୧(ଡି.ଏନ.ଏ): ଜଟଣୀ ନିୟନ୍ତ୍ରିତ ବଜାର କମିଟି(ଆର୍‌ଏମ୍‌ସି) ପକ୍ଷରୁ ୨୦୦୧ରେ ଏଠାରେ କୃଷକ ବଜାର ଆରମ୍ଭ କରାଯାଇଥିଲା। ଏହା ଏବେ ବିପର୍ଯ୍ୟସ୍ତ ଅବସ୍ଥାରେ ପଡିରହିଛି। ଚାଷୀଙ୍କ ଉତ୍ପାଦିତ ଦ୍ରବ୍ୟର ଉଚିତ୍‌ ମୂଲ୍ୟ ପ୍ରଦାନ ସହ ଖାଉଟିଙ୍କୁ ସଦ୍ୟ ଫଳ ପନିପରିବା ସୁଲଭ ମୂଲ୍ୟରେ ଯୋଗାଇ ଦେବା ଏହାର ଲକ୍ଷ୍ୟ ରହିଥିଲା। ଏଥିସହ ଚାଷୀ ଓ ଖାଉଟିଙ୍କ ମଧ୍ୟରେ ସମ୍ପର୍କକୁ ସୁଦୃଢ କରିବ ବୋଲି ଆଶା ରଖାଯାଇଥିଲା। ଓଡ଼ିଶାର ସର୍ବପ୍ରଥମ ଜଟଣୀ ନିୟନ୍ତ୍ରିତ ବଜାର କମିଟି ପରିସରରେ ଏହି କୃଷକ ବଜାର ସମ୍ପୂର୍ଣ୍ଣ ହେବା ୧୭ ବର୍ଷ ଅତିକ୍ରମ କରିବା ପରେ ବି ଏଯାବତ୍‌ ଏହା କାର୍ଯ୍ୟକାରୀ ହୋଇପାରିନାହିଁ। ସରକାରଙ୍କ ମୂଳ ଉଦ୍ଦେଶ୍ୟରୁ ଉଭୟ ଚାଷୀ ଓ ଖାଉଟି ବଞ୍ଚତ୍ତ ହୋଇଛନ୍ତି।
କୃଷକ ବଜାରର ବିଭିନ୍ନ ନିର୍ମାଣ କାର୍ଯ୍ୟ ପାଇଁ ୧୬ ଲକ୍ଷ ୨୯ ହଜାର ଟଙ୍କା ବ୍ୟୟରେ ୨୦୦୧ ଜାନୁୟାରୀ ୨୪ରେ ଆରମ୍ଭ ହୋଇଥିଲା। ସେହିବର୍ଷ ଜୁନ୍‌ ୨୯ରେ ଏହାର ନିର୍ମାଣ କାର୍ଯ୍ୟ ସରିଥିଲା। ସେହିପରି ୨୨ ଲକ୍ଷ ଟଙ୍କା ବ୍ୟୟରେ ଚାଷୀଙ୍କ ପନିପରିବା ସତେଜ ରଖିବାକୁ ଶୀତଳଭଣ୍ଡାର ମଧ୍ୟ ନିର୍ମାଣ ହୋଇଥିଲା। ନିର୍ମିତ ଶୀତଳଭଣ୍ଡାର, ପିଣ୍ଡି, ଧାନ ସଂଗ୍ରହ କେନ୍ଦ୍ର, ଗୋଦାମ ଘର ଆଦି ବର୍ତ୍ତମାନ ବିପର୍ଯ୍ୟସ୍ତ ଅବସ୍ଥାରେ ପଡ଼ିରହିଛି। ଗୋଟିଏ ଦିନ ମଧ୍ୟ ଚାଷୀ ଓ ଲୋକଙ୍କ ଫାଇଦାରେ ଏହା ବ୍ୟବହାର ଉପଯୋଗୀ ହୋଇପାରିଲା ନାହିଁ। ଚାଷୀ ଓ ଖାଉଟିଙ୍କୁ ଏକତ୍ରିତ କରି ଏହି ବଜାର ଚଳାଇବା ଦାୟିତ୍ୱ ଆର୍‌ଏମ୍‌ସିର ହୋଇଥିଲେ ମଧ୍ୟ ସମ୍ପୃକ୍ତ ବିଭାଗ କିମ୍ବା ଅନ୍ୟ କେହି ଆନ୍ତରିକତା ପ୍ରକାଶ କରୁନାହାନ୍ତି। ଯାହାଦ୍ୱାରା ଚାଷୀ ଓ ଖାଉଟିଙ୍କ ହିତକୁ ଦୃଷ୍ଟିରେ ରଖି କରାଯାଇଥିବା କୃଷକ ବଜାର ଭଳି ମହତ୍‌ ଯୋଜନାରୁ ଜନସାଧାରଣ ବଞ୍ଚତ୍ତ ହେଉଛନ୍ତି। ଅପରପକ୍ଷରେ ସରକାରଙ୍କ ଆଭିମୁଖ୍ୟ ମଧ୍ୟ ସଫଳ ହୋଇପାରିନାହିଁ। ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ଏହି କୃଷକ ବଜାର କିପରି କାର୍ଯ୍ୟକ୍ଷମ ହୋଇ ଖାଉଟି ଓ ଚାଷୀ ଉପକୃତ ହେବେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି। ଏ ନେଇ ଆର୍‌ଏମ୍‌ସି ସମ୍ପାଦକ ନିରଞ୍ଜନ ସାମଲ କୁହନ୍ତି, ଏହାର ପୁନରୁଦ୍ଧାର ପାଇଁ ଉଦ୍ୟମ କରାଯିବ। ସେହିପରି ଆର୍‌ଏମ୍‌ସିରେ ସ୍ଥାନୀୟ ବିଧାୟକଙ୍କ ପ୍ରତିନିଧି ଦାୟିତ୍ୱରେ ଥିବା ଜିତେନ୍ଦ୍ରିୟ ରଥ କୁହନ୍ତି, ପ୍ରଶାସନିକ ଓ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁ ଏପରି ଏକ ଭଲ ଯୋଜନାରୁ ଜଟଣୀବାସୀ ବଞ୍ଚତ୍ତ ହୋଇଛନ୍ତି। ଏଣୁ ଏହାକୁ କାର୍ଯ୍ୟକାରୀ କରିବାକୁ ନିଶ୍ଚୟ ପ୍ରୟାସ କରାଯିବ।