ବିପଦ ସୃଷ୍ଟି କରୁଛି ରାଜପଥ ପାର୍ଶ୍ୱ ଶୁଖିଲା ଗଛ

ଛେଣ୍ଡିପଦା,୩।୬(ସ୍ବ.ପ୍ର.) ଅନୁଗୋଳ ଛେଣ୍ଡିପଦା ୬୩ନଂ. ରାଜ୍ୟ ରାଜପଥର ଉଭୟ ପାର୍ଶ୍ୱରେ ଥିବା ଅନେକ ଶୁଖିଲା ଗଛ କଟାଯାଉ ନ ଥିବାରୁ ଏହା ଯାତ୍ରୀଙ୍କ ପାଇଁ ବିପଦ ସୃଷ୍ଟି କରୁଛି। ବିଶେଷକରି ଛେଣ୍ଡିପଦା ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ଏହି ଶୁଖିଲା ଗଛଗୁଡ଼ିକ ଠିଆ ହୋଇ ରହିଛି। କିଛି ଦିନ ତଳେ ବ୍ଲକ ନିକଟରେ ଥିବା ଏକ ଶୁଖିଲା ଶିମିଳି ଗଛ କାଳବୈଶାଖୀ ଯୋଗୁ ଦୁଇଟି ଦୋକାନ ଘର ଉପରେ ଭାଙ୍ଗି ପଡ଼ିଥିଲା। ଥାନା ଠାରୁ ୧୦୦ ମିଟର ଦୂରରେ ଏକ ତାଳଗଛ ରାଜପଥ ଉପରକୁ ଝୁଲି ରହିଥିଲେ ବି ତାହାକୁ କଟାଯାଉ ନାହିଁ। ସେହିପରି କୋଶଳା ମହାବିଦ୍ୟାଳୟ ବସ୍‌ଷ୍ଟାଣ୍ଡ ନିକଟରେ ଥିବା ଏକ ଶୁଖିଲା ଗଛକୁ କଟାଯାଉ ନାହିଁ। ବେଳେ ବେଳେ ଉକ୍ତ ଗଛରୁ ଡାଳ ଭାଙ୍ଗି ରାସ୍ତାରେ ପଡ଼ୁଥିବାରୁ ତୁରନ୍ତ କଟା ନ ଗଲେ ତାହା କେତେବେଳେ ଭାଙ୍ଗି ରାସ୍ତାରେ ପଡ଼ିଯିବାର ଆଶଙ୍କା ରହିଛି। ଛେଣ୍ଡିପଦା-ଜରପଡା ପୂର୍ତ୍ତ ରାସ୍ତାର ପୁଟଗାଡିଆ ନିକଟରେ ଦୁଇଟି ଗଛ ଶୁଖି ବିପଦସଙ୍କୁଳ ଅବସ୍ଥାରେ ରହିଛି। କିଛି ଅଘଟଣ ଘଟିବା ପୂର୍ବରୁ ଏଥିପ୍ରତି ପୂର୍ତ୍ତ ବିଭାଗ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।