ବିପଦ ସୃଷ୍ଟି କରୁଛି ବାଡ଼ା ବିହୀନ ପୋଲ

ବାଲିଆ,୯।୮: ଜଳସେଚନ ବିଭାଗର ବେପରୁଆ ନୀତି ଓ ଠିକାଦାରଙ୍କ ମନମୁଖି କାର୍ଯ୍ୟ ଯୋଗୁ ଜନସାଧାରଣ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାର ଉଦାହରଣ ଦେଖିବାକୁ ମିଳିଛି ଜଗତ୍‌ସିଂହପୁର ଜଳସେଚନ ବିଭାଗ ଅଧୀନ ମାଛଗାଁ ମୁଖ୍ୟ କେନାଲର କଇଜଙ୍ଗା ସେକ୍ସନ ଅନ୍ତର୍ଗତ ଧ୍ୟାନକୁଦ ପୀଠ ନିକଟରେ। ଏଠାରେ ହାଜିପୁର ଗୋପାଳସାହିକୁ ମାଛଗାଁ କେନାଲ ଉପରେ ଏକ ପୋଲ ରହିଛି, ଯାହାର ବାଡ଼ା ନାହିଁ। ତେଣୁ ପଥଚାରୀଙ୍କ ପାଇଁ ଏହା ବିପଦ ଆଶଙ୍କା ସୃଷ୍ଟି କରୁଛି। ଏମିତିରେ ଅନେକ ସମୟରେ ଦୁର୍ଘଟଣା ମଧ୍ୟ ଘଟୁଛି। ଦୈନିକ ଜନସାଧାରଣଙ୍କ ସହ ଗୃହପାଳିତ ପଶୁ ଏହି ପୋଲରେ ଯାତାୟାତ କରୁଛନ୍ତି। ଚାଷୀମାନେ ଏହି ପୋଲ ଦେଇ ହଳ କରିବାକୁ ଯାଉଛନ୍ତି। ଏଥିସହ ଟ୍ରାକ୍ଟର ଆଦି ବିଭିନ୍ନ ଗାଡି ଏହି ପୋଲରେ ଚଳାଚଳ କରୁଛି। ଠିକାଦାର ଏହି ପୋଲ ନିର୍ମାଣ ସମୟରେ ବାଡ଼ା ତିଆରି ନ କରି ଅଧାପନ୍ତରିଆ ଭାବେ ଛାଡ଼ି ଦେଇଛନ୍ତି। ଏ ସମ୍ପର୍କରେ ସ୍ଥାନୀୟ ବାସିନ୍ଦା ଧରଣୀଧର ବେହେରା, କାର୍ତ୍ତିକ ପରିଡ଼ା, ଗଣେଶ ପରିଡ଼ା, ବୁଲୁ ପରିଡ଼ା, ଚଗଲି ବେହେରା, ଗଜେନ୍ଦ୍ର ବେହେରା, ଲକ୍ଷ୍ମୀଧର ଦାସ, ମହେନ୍ଦ୍ର ଦାସ, ଭାଗ୍ୟଧର ଦାସ, ପ୍ରମୋଦ ବେହେରା, ପଦ୍ମନାଭ ବେହେରା, ରାମଚନ୍ଦ୍ର ବେହେରା ପ୍ରମୁଖ ବିଭାଗୀୟ ଅଧିକାରୀଙ୍କୁ ଜଣାଇ ଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁ ନ ଥିବା ଅଭିଯୋଗ କରିଛନ୍ତି। ପ୍ରକାଶ ଯେ, ଖୋଦ ଜଳସେଚନ ବିଭାଗ ମନ୍ତ୍ରୀଙ୍କ ଜିଲାରେ କେନାଲ ମରାମତି, ପୁନରୁଦ୍ଧାର ଆଦି ବାବଦରେ ଆସୁଥିବା ଅନୁଦାନ ଅର୍ଥରୁ ସିଂହଭାଗ ହରିଲୁଟ୍‌ କରିନିଆଯାଉଛି। ଫଳରେ କେଉଁଠି ନିମ୍ନମାନର କାର୍ଯ୍ୟ ହେଉଛି ତ ଆଉ କେଉଁଠି ଅଧାପନ୍ତରିଆ। ଏଥିଯୋଗୁ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନେକ ସମୟରେ ବିଭାଗୀୟ ଅଧିକାରୀମାନେ ଏହି କେନାଲ ବନ୍ଧ ସହ ପୋଲ, ନଦୀବନ୍ଧ ଆଦି ପରିଦର୍ଶନରେ ଆସୁଛନ୍ତି। କିନ୍ତୁ ଏଥିପ୍ରତି ସେମାନଙ୍କ ଦୃଷ୍ଟି ନ ପଡ଼ିବା ଦୁର୍ଭାଗ୍ୟର ବିଷୟ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।