ବିପଦ ସାଜୁଛି ସ୍ତନକର୍କଟ

ଭୁବନେଶ୍ୱର, ୨୬।୧୦(ବ୍ୟୁରୋ): ମହିଳାମାନଙ୍କ କ୍ଷେତ୍ରରେ ସ୍ତନକର୍କଟ ଏକ ଜଣାଶୁଣା ବ୍ୟାଧି। ପାଶ୍ଚାତ୍ୟ ଦେଶଗୁଡ଼ିକରେ ସ୍ତନକର୍କଟ ପ୍ରାଥମିକ ଅବସ୍ଥାରେ ଚିହ୍ନଟ ହୋଇପାରୁଥିବା ସ୍ଥଳେ ଭାରତରେ ଏହା ପ୍ରାୟ ଶେଷ ଅବସ୍ଥାରେ ଜଣାପଡ଼ିଥାଏ। ତେଣୁ ସ୍ତନକର୍କଟ ରୋଗର ସ୍କ୍ରିନିଂ କାର୍ଯ୍ୟକ୍ରମ ଅତ୍ୟନ୍ତ ଜରୁରୀ। ସ୍ତନକର୍କଟ ସ୍କ୍ରିନିଂ ଦ୍ୱାରା ମହିଳାମାନଙ୍କ ମଧ୍ୟରେ କର୍କଟ ରୋଗକୁ ପ୍ରାଥମିକ ସ୍ତରରେ ଚିହ୍ନଟ କରାଯାଇପାରିବ ବୋଲି ଆମ୍ରି ହସ୍ପିଟାଲ୍‌ ଅନ୍‌କୋଲୋଜିଷ୍ଟ ଡ. ସୌରଭ କୁମାର ମିଶ୍ର କହିଛନ୍ତି।
ଅକ୍ଟୋବରକୁ ସ୍ତନକର୍କଟ ରୋଗ ସଚେତନତା ମାସ ରୂପେ ପାଳନ କରାଯାଇଥାଏ। ଏହି ଅବସରରେ ଆୟୋଜିତ ଏକ ସଚେତନତା କାର୍ଯ୍ୟକ୍ରମରେ ଯୋଗଦେଇ ଡା. ମିଶ୍ର କହିଥିଲେ, କର୍କଟ ସୋସାଇଟିଗୁଡ଼ିକ ପକ୍ଷରୁ ୪୦ ବର୍ଷରୁ ଊର୍ଦ୍ଧ୍ୱ ମହିଳାମାନଙ୍କୁ ବାର୍ଷିକ ଗୋଟିଏ ଥର ମାମୋଗ୍ରାଫି କରିବାକୁ କୁହାଯାଇଥାଏ। ପ୍ରାଥମିକ ଅବସ୍ଥାରେ ଚିହ୍ନିତ ହେଲେ ଆରୋଗ୍ୟସାଧ୍ୟ ହୋଇଥାଏ। ପ୍ରତିବର୍ଷ ଭାରତରେ ସ୍ତନ କର୍କଟର ୧.୬୨ ଲକ୍ଷ ନୂଆ କେସ୍‌ ଚିହ୍ନଟ ହେଉଥିବାବେଳେ ଏଥିରେ ବାର୍ଷିକ ମୃତ୍ୟୁହାର ୮୭,୦୦୦ରୁ ଅଧିକ।