Categories: ଖେଳ

ବିପଦ ସଙ୍କୁଳ ଅବସ୍ଥାରେ ବାରବାଟୀ: ଖସୁଛି ପ୍ଲାଷ୍ଟର, ମହୁମାଛି ଆତଙ୍କ

କଟକ ଅଫିସ,୧୦ା୮- ଫନୀ ଝଡ଼ ପରେ ରକ୍ଷଣାବେକ୍ଷଣ ଅଭାବରୁ ବାରବାଟୀ ଷ୍ଟାଡିୟମ ବିପଦ ସଙ୍କୁଳ ଅବସ୍ଥାକୁ ଆସିଲାଣି । କିଛି ଦିନ ହେବ ବାରବାଟୀ ଷ୍ଟାଡିୟମ ପରିସରରେ ଛିଡ଼ା ହେବା ବି ଲୋକଙ୍କ ପାଇଁ ମୁସ୍କିଲ ହୋଇପଡ଼ିଛି । ବୁଧବାର ଦିନ ଷ୍ଟାଡିୟମର ୭ନଂ ଗ୍ୟାଲେରୀରୁ ଏକ ବିରାଟ ବଡ଼ ପ୍ଲାଷ୍ଟର ଖଣ୍ଡ ଖସିଥିଲା । ତେବେ ଲୋକ ନଥିବା ସ୍ଥାନରେ ପଡ଼ିଥିବା ଯୋଗୁ କୌଣସି ବଡ଼ଧରଣର କ୍ଷୟକ୍ଷତି ହୋଇନାହିଁ । ଅନ୍ୟପକ୍ଷରେ ମହୁମାଛି ଆତଙ୍କ ଦୁଇଦିନ ହେବ ଷ୍ଟାଡିୟମରେ ଦେଖାଦେଇଛି ବୋଲି ଜଣେ କର୍ମଚାରୀ କହିଛନ୍ତି। ଏହା ଷ୍ଟାଡିୟମ ପରିସରରେ ଥିବା ଏକ ଘରୋଇ ସ୍କୁଲ ଉପରେ ପ୍ରଭାବ ପକାଇଛି। ଏବେ ଜାଲି ଦିଆଯାଇ ଅସ୍ଥାୟୀ ଭାବେ ସମସ୍ୟାକୁ ଏଡାଇବାକୁ ଚେଷ୍ଟା କରାଯାଉଥିବା ଦେଖିବାକୁ ମିଳିଛି। ଏ ନେଇ ଓଡ଼ିଶା ଅଲିମ୍ପିକ ଆସୋସିଏଶନ ସହ ଯୋଗାଯୋଗ କରାଯାଇଥିବା ବେଳେ କୌଣସି ଉତ୍ତର ମିଳି ନଥିଲା ।
ସାମୂଦ୍ରିକ ଝଡ଼ ଫନୀରେ ବାରବାଟୀ ଷ୍ଟାଡିୟମ ବହୁ ଭାବେ କ୍ଷତିଗ୍ରସ୍ତ ହୋଇଥିଲା । ସମସ୍ତ ଗ୍ୟାଲେରୀ ଅଳ୍ପବହୁତ କ୍ଷତି ହୋଇଥିବା ବେଳେ ସ୍ପେସାଲ ଏନକ୍ଲୋଜର, ମିଡ଼ିଆ ବକ୍ସ, କର୍ପୋରେଟ ବକ୍ସ ଅଧିକ କ୍ଷତି ସହିଥିଲା । ଷ୍ଟାଡିୟମର ସମସ୍ତ ଫ୍ଲଡ ଲାଇଟର ବଲ ଗୁଡ଼ିକ ଭାଙ୍ଗିରୁଜି ହୋଇଥିଲା । ଏବେ ଭଙ୍ଗାରୁଜା ପାର୍ଶ୍ୱଗୁଡ଼ିକ ଷ୍ଟାଡିୟମ ପାଇଁ ଭାରୀ ପଡ଼ିଛି। ଫାଓ ଲିଗ୍‌ର ପ୍ରଥମ ଡିଭିଜନ ମ୍ୟାଚ୍‌ ଏବେ ଚାଲିଥିବା ବେଳେ ଆଗାମୀ ଦିନରେ ହେବାକୁ ଥିବା ରଣଜୀ ସିଜନର ୫ଟି ମ୍ୟାଚ୍‌ ମଧ୍ୟ ଓଡ଼ିଶାରେ ହେବ । ଏଥିରୁ କିଛି ମ୍ୟାଚ୍‌ ବାରବାଟୀରେ ଆୟୋଜନ ହେବାର ଆଶା ମଧ୍ୟ ରହିଛି । ଏପରି ପରିସ୍ଥିତିରେ ବାରବାଟୀରେ ଏତାଦୃଶ ଅବସ୍ଥା କ୍ରୀଡ଼ା ପରିବେଶକୁ ନଷ୍ଟ କରୁଛି ବୋଲି କ୍ରୀଡ଼ାପ୍ରେମୀ କହିଛନ୍ତି । ଓସିଏର ଜଣେ ପୂର୍ବତନ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଷ୍ଟାଡିୟମର ରକ୍ଷଣାବେକ୍ଷଣ ଓସିଏ କରୁଥିଲା । ଏବେ ଓସିଏ ଅର୍ଥାଭାବରେ ଅଛି । ଏଣୁ ଅତିକମରେ ଅଲିମ୍ପିକ ଆସୋସିଏଶନ ଏ ଦିଗରେ ଦୃଷ୍ଟି ଦେବା ଉଚିତ ବୋଲି ସେ କହିଛନ୍ତି ।

Share