ବିପଦସଙ୍କୁଳ ଅବସ୍ଥାରେ ଝୁଲୁଛି ବିଦ୍ୟୁତ ତାର

କଟକ ଅଫିସ, ୨୨।୪: ମୁଣ୍ଡକୁ ଲାଗୁଛି କୃଷ୍ଣଚୂଡ଼ା ଗଛର ଡାଳ। ଆଉ ଏହି ଗଛର ସବୁ ଡାଳ ୧୧ କେଭି ବିଦ୍ୟୁତ ତାରକୁ ଛୁଇଁଛି। ଏଭଳି ପରିସ୍ଥିତିରେ ଦୈନିକ ଶହ ଶହ ଲୋକ ଏସ୍‌ସିବି କାର୍ଡିଓଲୋଜି ବିଭାଗ ଆଗରେ ଗାଡ଼ି ପାର୍କିଂ କରି ଯା’ଆସ କରୁଛନ୍ତି। ସୌଭାଗ୍ୟବଶତଃ ଆଜିପର୍ଯ୍ୟନ୍ତ କୌଣସି ଦୁର୍ଘଟଣା ଘଟିନାହିଁ। ଏ ନେଇ କାର୍ଡିଓଲୋଜି ବିଭାଗ ମୁଖ୍ୟ ଡା. ଏସ୍‌.ଏନ୍‌. ରାଉତରାୟ ଏବଂ ହୃଦ୍‌ଶଲ୍ୟ ବିଭାଗ ମୁଖ୍ୟ ଡା. ମନୋଜ କୁମାର ପଟ୍ଟନାୟକ ସ୍ଥାନୀୟ ବିଦ୍ୟୁତ ବିଭାଗ କର୍ମଚାରୀମାନଙ୍କୁ ମୌଖିକ ଭାବେ ଅବଗତ କରାଇଥିଲେ ବି ପଦକ୍ଷେପ ନିଆଯାଇ ନାହିଁ। ଏଠାରେ ଗାଡ଼ି ପାର୍କିଂ କରିବା ଆଦୌ ନିରାପଦ ନୁହେଁ। ବିଶେଷକରି ବର୍ଷା ସମୟରେ ଗାଡ଼ି ପାର୍କିଂ କରିବା ବିପଜ୍ଜନକ ହୋଇପାରେ ବୋଲି ଅନେକେ କହିଛନ୍ତି।