ବିପଦପୂର୍ଣ୍ଣ ଅବସ୍ଥାରେ ୩୩ କେଭି ତାର

କଣିହାଁ, ୧୧ା୨(ଡି.ଏନ.ଏ.) – ବିଦ୍ୟୁତ୍‌ ବିଭାଗର ଚରମ ଅବହେଳା ଯୋଗୁ ନିରୀହ ଜୀବନ ଯାଉଥିଲେ ହେଁ ଚେତୁନାହାନ୍ତି ଅଧିକାରୀ। ବିଭିନ୍ନ ସ୍ଥାନରେ ବିପଦସଙ୍କୁଳ ଅବସ୍ଥାରେ ବିଦ୍ୟୁତ୍‌ ଖୁଣ୍ଟ, ପୁରୁଣା ତାର ଓହଳିଥିଲେ ମଧ୍ୟ ଏହାର ମରାମତି ଦିଗରେ ଆଦୌ ଧ୍ୟାନ ଦେଉନି ବିଭାଗ। ଫଳରେ ଗୋଟିଏ ପରେ ଗୋଟିଏ ଦୁର୍ଘଟଣା ଘଟିଚାଲିଛି। ଅନୁଗୋଳ ଜିଲା କଣିହାଁ ବ୍ଲକରେ ମଧ୍ୟ ଏପରି ଅବହେଳା ଦେଖିବାକୁ ମିଳିଛି। ମାତ୍ର ୧୦ ଫୁଟ ଉଚ୍ଚରେ ଉଚ୍ଚକ୍ଷମତା ସମ୍ପନ୍ନ ତାର ଓହଳିଥିବାବେଳେ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଉ ନ ଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ତୀବ୍ର ଅସନ୍ତୋଷ ଦେଖାଦେଇଛି।
କଣିହାଁ ବ୍ଲକ ଝରାବେରଣୀ ଓ ପଟ୍ଟାଖମଣ ଗ୍ରାମକୁ ସଂଯୋଗ କରୁଥିବା ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମିତ ରାସ୍ତା ଉପରେ ଝୁଲି ରହିଛି ୩୩ କେଭି ବିଦ୍ୟୁତ୍‌ ତାର। ଭୂମିଠାରୁ ମାତ୍ର ୧୦ ଫୁଟ ଉଚ୍ଚରେ ତାର ଓହଳିଥିବାରୁ ଯେ କୌଣସି ମୁହୂର୍ତ୍ତରେ ଅଘଟଣ ଘଟିବାର ଆଶଙ୍କା ରହିଛି। ଏହାର ମରାମତି ପାଇଁ ଅଞ୍ଚଳବାସୀ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁ ନ ଥିବା ପଟ୍ଟାଖମଣ ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏହାର ମରାମତି ଓ ସଜାଡିବା କ୍ଷମତା ବିଦ୍ୟୁତ୍‌ ବିଭାଗ ସେସୁ ଏସ୍‌ଡିଓଙ୍କ ଅଧୀନରେ ଥିବାବେଳେ କେଉଁ କାରଣରୁ ଏହା କରାଯାଉନାହିଁ ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତୁରନ୍ତ ଏହାର ତଦନ୍ତ କରାଯିବା ସହ ତାର ମରାମତି କରାଯିବାକୁ ଦାବି ହୋଇଛି।
ଏ ସମ୍ପର୍କରେ କଣିହାଁ ସେକ୍ସନ ସେସୁ କନିଷ୍ଠ ଯନ୍ତ୍ରୀ ଯତୀନ୍ଦ୍ର ବାରିକଙ୍କୁ ପଚାରିବାରେ ସେ କହିଛନ୍ତି, ୩୩ କେଭି ବିଦ୍ୟୁତ୍‌ ମରାମତି କ୍ଷମତା ଆମ ପାଖରେ ନାହିଁ। ଏ ନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇସାରିଛୁ। ଖୁବଶୀଘ୍ର ସମସ୍ୟା ଦୂର ହେବ।