ବିପଜ୍ଜନକ ହୋଇପାରେ ହ୍ୟାଣ୍ଡ୍‌ ସାନିଟାଇଜର୍‌

ଯଦି ପରିଷ୍କାର ପରିଚ୍ଛନ୍ନ ଏବଂ କୀଟାଣୁ ଭୟରେ ସାବୁନ ପରିବର୍ତ୍ତେ ହ୍ୟାଣ୍ଡ୍‌ସାନିଟାଇଜର୍‌ର ବ୍ୟବହାର କରୁଛନ୍ତି, ତେବେ ଖବର ଆପଣଙ୍କୁ ଚିନ୍ତାରେ ପକାଇପାରେ। ସାଧାରଣତଃ ଦେଖାଯାଇଥାଏ, ହାତ ପରିଷ୍କାର କରିବାକୁ ବର୍ତ୍ତମାନ ସମୟରେ ବିଭିନ୍ନ ବ୍ରାଣ୍ଡ୍‌ର ହ୍ୟାଣ୍ଡ୍‌ସାନିଟାଇଜର୍‌ ବ୍ୟବହାର କରାଯାଉଛି। କିନ୍ତୁ ଏହାର ଉପଯୋଗ ଆପଣଙ୍କୁ ସୁସ୍ଥ ରଖିବା ପରିର୍ବେ ରୋଗଗ୍ରସ୍ତ ଏବଂ ଦୁର୍ବଳ କରିପାରେ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ। ୟୁନିଭର୍ସିଟି ଅଫ୍‌ ମେଲ୍‌ବର୍ଣ୍ଣର ତତ୍ତ୍ବାବଧାନରେ ନିକଟରେ ଏକ ଗବେଷଣାରୁ ବୈଜ୍ଞାନିକମାନେ ଏହି ହତଚକିତ କରିବା ଭଳି ତଥ୍ୟ ପ୍ରକାଶ କରିଛନ୍ତି। ଗବେଷଣାରୁ ଜଣାପଡ଼ିଛି, ଆଲ୍‌କୋହଲ୍‌ ମିଶ୍ରିତ ହ୍ୟାଣ୍ଡ୍‌ଜେଲ୍‌ ବା ସାନିଟାଇଜର୍ସ ସାମାନ୍ୟ ବ୍ୟାକ୍ଟେରିଆକୁ ସୁପରବଗ୍‌ରେ ପରିବର୍ତ୍ତିତ କରିଥାଏ, ଯାହା ଖୁବ୍‌ ଶକ୍ତିଶାଳୀ ଆଣ୍ଟିବାୟୋଟିକ୍‌ର ପ୍ରଭାବକୁ ପ୍ରତିରୋଧ କରିଥାନ୍ତି। ଏହାର ଅର୍ଥ, ସାନିଟାଇଜର୍‌ ଏଭଳି କିଛି ବ୍ୟାକ୍ଟେରିଆଙ୍କୁ ଶକ୍ତିଶାଳୀ କରିଦିଏ, ଯାହା ଶରୀର ପାଇଁ ବିଶେଷ ହାନିକାରକ। ଗବେଷଣା ଅନୁସାରେ, ଲୋକଙ୍କର ଧାରଣା ଗୋଟିଏ ବୁନ୍ଦା ସାନିଟାଇଜର୍‌ ହାତରେ ଥିବା କୀଟାଣୁଙ୍କ ସର୍ବନାଶ କରିଥାଏ। କିନ୍ତୁ ଏହି ଧାରଣା ଏବେ ଭୁଲ୍‌ ପ୍ରମାଣିତ ହୋଇଛି। କାରଣ ଅଧିକାଂଶ ସାନିଟାଇଜର୍‌ରେ ୬୦ ପ୍ରତିଶତ ଆଲ୍‌କୋହଲ୍‌ ଥାଏ, ଯାହା କୀଟାଣୁଙ୍କୁ ସମ୍ପୂର୍ଣ୍ଣ ଭାବେ ମାରିବା ପାଇଁ ପର୍ଯ୍ୟାପ୍ତ ନ ଥାଏ। ବୈଜ୍ଞାନିକମାନେ ଏହି ଭୟକୁ ଦୃଷ୍ଟିରେ ରଖି ସାନିଟାଇଜର୍‌ ପରିବର୍ତ୍ତେ ସାବୁନର ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି।