ବିନା ଲକ୍ଷଣରେ ବି ରହିପାରେ ଭୂତାଣୁ: ୩୫ ଆକ୍ରାନ୍ତ ପାଖରେ ଦେଖାଯାଉନି ସାଧାରଣ ଲକ୍ଷଣ; ଲକ୍‌ଡାଉନ୍‌ ପାଇଁ ମିଳିଛି ସଫଳତା

ଭୁବନେଶ୍ୱର, ୧୨।୪(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଛି। ଏହାକୁ ନେଇ ଚିନ୍ତା ବଢ଼ିଥିଲେ ମଧ୍ୟ ଇତିମଧ୍ୟରେ ୧ ୨ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିବା ଖବର ରାଜ୍ୟବାସୀଙ୍କୁ ଆଶ୍ୱସ୍ତି ଦେଇଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ସମୁଦାୟ ୫୪ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ତନ୍ମଧ୍ୟରୁ ପ୍ରଥମେ ଦୁଇଜଣ ଓ ଶୁକ୍ରବାର ଆଉ ୧୦ଜଣ ରୋଗୀ ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଛନ୍ତି। ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବାବେଳେ ୩୭ଜଣ ଏବେ କୋଭିଡ୍‌-୧୯ ହସ୍ପିଟାଲରେ ରହିଛନ୍ତି। ୨ଜଣଙ୍କୁ ଡାକ୍ତରଙ୍କ ଚିକିତ୍ସା ଆବଶ୍ୟକ ରହିଥିବାବେଳେ ୩୫ଜଣ ଆକ୍ରାନ୍ତ ପାଖରେ କରୋନାର ସାଧାରଣ ଲକ୍ଷଣ ନାହିଁ। ସେମାନଙ୍କ ପାଖରେ ଜ୍ୱର, ଥଣ୍ଡା, କାଶ, ଛିଙ୍କ ଆଦି ଦେଖାଯାଉନାହିଁ। କିଛିଦିନ ପରେ ଆଉ କେତେଜଣ ମଧ୍ୟ ସୁସ୍ଥ ହୋଇ ଘରକୁ ଫେରିବେ ବୋଲି ଆଶା କରାଯାଉଥିବା ଓଡ଼ିଶା ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ କହିଛନ୍ତି। ଶନିବାର ସେ କହିଛନ୍ତି, ରାଜ୍ୟର ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୮୦ ପ୍ରତିଶତଙ୍କ ପାଖରେ କୌଣସି ଲକ୍ଷଣ ନ ଥିଲା। ତେଣୁ ବିନା ଲକ୍ଷଣରେ ମଧ୍ୟ କରୋନା ଭୂତାଣୁ ରହିପାରେ ବୋଲି ଶାଳିନୀ ସତର୍କ କରାଇଛନ୍ତି।