ବିନା ଭକ୍ତରେ ସ୍ନାନଯାତ୍ରା, ରଥଯାତ୍ରା ନେଇ ପ୍ରସ୍ତାବ; ଶେଷ ନିଷ୍ପତ୍ତି ନେବେ ରାଜ୍ୟ ସରକାର

ପୁରୀ ଅଫିସ, ୩୦।୫: ଚଳିତ ବର୍ଷ ବିନା ଭକ୍ତରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ରଥଯାତ୍ରା ଅନୁଷ୍ଠିତ ହେବା ନେଇ ଶନିବାର ଭୁବନେଶ୍ୱର ଓ ପୁରୀରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ନିଳାଦ୍ରି ବିଜେ ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ। ଶ୍ରୀମନ୍ଦିର ପରିସରରେ ସ୍ନାନଯାତ୍ରା ହେଉଥିବାରୁ ସୀମିତ ସେବକ ଓ କିଛି ପ୍ରଶାସନିକ ଅଧିକାରୀଙ୍କୁ ନେଇ ସ୍ନାନ ପୂର୍ଣ୍ଣିମା ନୀତିକାନ୍ତି ପାଳନ ହେବ।
ସେହିପରି ରଥଯାତ୍ରା ନେଇ ମଧ୍ୟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ବିଧି ଅନୁସାରେ ରଥଯାତ୍ରା କରିବାକୁ ପ୍ରସ୍ତାବ ଦିଆଯାଇଛି। ଯଦି ରାଜ୍ୟ ସରକାର ଅନୁମତି ଦେବେ ତେବେ ରଥଯାତ୍ରା ହୋଇପାରିବ। ଅଧିକାରୀ, ପୋଲିସ, ସେବାୟକଙ୍କ ଦ୍ୱାରା ରଥଯାତ୍ରା ହୋଇପାରିବ। କିନ୍ତୁ ଶ୍ରଦ୍ଧାଳୁମାନେ କିପରି ପୁରୀକୁ ନ ଆସିବେ ତାହାର ବ୍ୟବସ୍ଥା ସରକାର କରିବେ। ଲକ୍‌ଡାଉନ୍‌ର ନୂଆ ନିୟମକୁ ଦେଖି ରାଜ୍ୟ ସରକାର ରଥଯାତ୍ରାକୁ ନେଇ ଯାହା ଅନୁମତି ଦେବେ ତାକୁ ପରିଚାଳନା କମିଟି ମାନିବ। ଏଭଳି ପ୍ରସ୍ତାବ ଆଜି ପରିଚାଳନା କମିଟି ପକ୍ଷରୁ ରାଜ୍ୟ ସରକାରଙ୍କୁ ଦିଆଯାଇଛି। ରଥଯାତ୍ରା ହେବ କି ନାହିଁ ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି ଗଜପତି ମହାରାଜା କହିଛନ୍ତି। ତେବେ ଏହି ନିଷ୍ପତ୍ତି କେବଳ ଶ୍ରୀମନ୍ଦିର ପାଇଁ। ବିଶ୍ୱର ଅନ୍ୟ ଜଗନ୍ନାଥ ମନ୍ଦିର ପାଇଁ ସେଠା ପ୍ରଶାସନ ନିଷ୍ପତ୍ତି ନେବ ବୋଲି ମଧ୍ୟ ଗଜପତି ମହାରାଜା କହିଛନ୍ତି।
ତେବେ ଏହାର ସିଧାପ୍ରସାରଣ ପାଇଁ ସୂଚନା ଓ ଲୋକ ସମ୍ପର୍କ ବିଭାଗକୁ ଦାୟିତ୍ୱ ଦିଆଯାଇଛି। ସାରା ଦୁନିଆ ଲୋକେ ଯେଭଳି ଟିଭିରେ ଦେଖିବେ, ସେ ନେଇ ବ୍ୟବସ୍ଥା ହେବ। ସ୍ନାନଯାତ୍ରାରେ କୋଭିଡ ଗାଇଡ୍‌ଲାଇନକୁ ସେବକମାନେ ପାଳନ କରିବେ। କରୋନା ରିସ୍କ ଏଡ଼ାଇବା ପାଇଁ ସବୁ ବ୍ୟବସ୍ଥା କରାଯାଉଛି।