ବିନା ଭକ୍ତରେ ସରିଲା ତାରାତାରିଣୀଙ୍କ ଚୈତ୍ରଯାତ୍ରା

ପୁରୁଷୋତ୍ତମପୁର,୭ା୪(ଡି.ଏନ.ଏ.)- ଗଞ୍ଜାମ ଜିଲା ତଥା ଓଡିଶାର ପ୍ରସିଦ୍ଧ ଦୈବିପୀଠ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଉଦ୍‌ଯାପିତ ହୋଇଯାଇଛି। ଚଳିତବର୍ଷ ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବାକୁ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ବାରମ୍ବାର ମା’ଙ୍କ ପୀଠକୁ ଆସି ସମସ୍ତ କାର୍ଯ୍ୟର ତଦାରଖ କରିବା ସହ ବିଭିନ୍ନ ପ୍ରକାର ପଦକ୍ଷେପ ନେଇଥିଲେ। ମୁଖ୍ୟମନ୍ତ୍ରୀ ପ୍ରଥମ ପାଳିରେ ସୁସଜ୍ଜିତ ଆଲୋକମାଳାରେ ଝଲସୁଥିବା ତାରାତାରିଣୀ ମନ୍ଦିରର ଫଟୋକୁ ଟୁଇଟ୍‌ କରିଥିଲେ। ମାତ୍ର ଅନ୍ୟ ୪ ପାଳିରେ କରୋନା ପାଇଁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲାଗୁ ହୋଇଥିଲା। ଶେଷ ପାଳିରେ ମନ୍ଦିର ନିର୍ବାହୀ ଅଧିକାରୀ ଟି. କେ. ରେଡ୍ଡୀଙ୍କ ତତ୍ତ୍ବାବଧାନରେ ସେବାୟତ ବାପୁଜୀ ରଣାଙ୍କ ସମେତ ଅନ୍ୟ ସେବାୟତମାନେ ସକାଳ ୪.୩୦ରେ ପରମ୍ପରା ଅନୁସାରେ ପୂଜାର୍ଚ୍ଚନା କରି ମା’ ତାରାତାରିଣି ଦୁଇ ଭଉଣୀଙ୍କୁ ରାଜ ରାଜେଶ୍ୱରୀ ବେଶରେ ସଜ୍ଜିତ କରାଇବା ପରେ ସକାଳ ୬.୩୦ରେ ସାହାଣ ମେଲା ହୋଇଥିଲା। ଛତ୍ରପୁର ଉପ-ଜିଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ଆସି ପରିସ୍ଥିତି ଅନୁଧ୍ୟାନ କରିଥିବାବେଳେ ପୁରୁଷୋତ୍ତମପୁର ତହସିଲଦାର ଅରୁଣ କୁମାର ନାୟକ, ଏସ୍‌ଡିପିଓ ସୀମା ସ୍ବାଇଁ, ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକଙ୍କ ସମେତ ପୋଲିସ ଫୋର୍ସ ମୁତୟନ ରହି ପରିସ୍ଥିତି ଉପରେ ନଜର ରଖିଥିଲେ।