ବିଧାୟକ ସ୍ନାନବେଦୀକୁ ଚଢ଼ିବା ନେଇ ବିବାଦ

ପୁରୀ ଅଫିସ, ୧୮।୬: ମହାପ୍ରଭୁଙ୍କୁ କୌଣସି ଭକ୍ତ ସ୍ପର୍ଶ କରିପାରିବେ ନାହିଁ କି ସାହାଣମେଲା ଦର୍ଶନ ସମୟ ବ୍ୟତୀତ ଅନ୍ୟ ସମୟରେ କୌଣସି ଦର୍ଶନାର୍ଥୀ ସ୍ନାନମଣ୍ଡପ ଉପରକୁ ଉଠିପାରିବେ ନାହିଁ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ନାନଯାତ୍ରା ବ୍ୟବସ୍ଥାବଳୀରେ ଏହା ସ୍ପଷ୍ଟ କରାଯାଇଛି। ହେଲେ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ସୋମବାର ପୂର୍ବାହ୍ନ ପ୍ରାୟ ୧୧ଟାରେ କେତେଜଣ ସେବକଙ୍କ ଗହଣରେ ସ୍ନାନମଣ୍ଡପକୁ ଯାଇଥିଲେ। ଅତି ନିକଟରୁ ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରିଥିଲେ। ଏହି ସମୟରେ ବିଧାୟକ ଷଡ଼ଙ୍ଗୀ ଠାକୁରଙ୍କୁ ସ୍ପର୍ଶ କରିଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି।
ପ୍ରାତଃ ପହଣ୍ଡିବିଜେ ପରଠାରୁ ସାହାଣମେଲା ପୂର୍ବ ପର୍ଯ୍ୟନ୍ତ ସ୍ନାନମଣ୍ଡପ ତଳ ସମ୍ମୁଖ ଭାଗରେ ଥିବା ସ୍ଥାୟୀ ର଼୍ୟାମ୍ପରେ ଦର୍ଶନାର୍ଥୀମାନେ ଠାକୁରଙ୍କୁ ଦର୍ଶନ କରିପାରିବେ। ଦକ୍ଷିଣପଟୁ ପ୍ରବେଶ କରି ଦର୍ଶନ ସାରିବା ପରେ ଉତ୍ତର ପଟେ ପ୍ରସ୍ଥାନ କରିବେ ବୋଲି ବ୍ୟବସ୍ଥାବଳୀରେ ଉଲ୍ଲେଖ ରହିଛି। ସେହିପରି ସାହାଣ ମେଲା ଦର୍ଶନ ସମୟରେ ମହାପ୍ରଭୁଙ୍କ ସେବାରେ ନିୟୋଜିତ ସେବକଙ୍କ ବ୍ୟତୀତ କୌଣସି ଦର୍ଶନାର୍ଥୀ ଠାକୁରଙ୍କ ନିକଟକୁ ଯାଇପାରିବେ ନାହିଁ କିମ୍ବା ସ୍ପର୍ଶ କରିପାରିବେ ନାହିଁ ବୋଲି ଦର୍ଶାଯାଇଛି। ତେବେ ସାହାଣମେଲା ସମୟ ସନ୍ଧ୍ୟା ସାଢେ ୭ଟାରୁ ରାତି ସାଢେ ୯ଟା ପର୍ଯ୍ୟନ୍ତ ନିର୍ଘଣ୍ଟ ହୋଇଛି। ତେବେ ଏହି ସମୟରେ ବିଧାୟକ ଷଡଙ୍ଗୀ କିଭଳି ପୂର୍ବାହ୍ନ ୧୧ଟାରେ ସ୍ନାନମଣ୍ଡପକୁ ଉଠିଲେ ଏବଂ ଠାକୁରଙ୍କୁ ଅତି ନିକଟରୁ ଦର୍ଶନ କଲେ ତାହାକୁ ନେଇ ସୃଷ୍ଟି ହୋଇଛି ବିବାଦ। ଏହାପରେ ରାତିରେ ସାହାଣମେଲା ସମୟରେ ବି ପୁଣିଥରେ ବିଧାୟକ କେତେଜଣଙ୍କୁ ସାଥୀରେ ନେଇ ସ୍ନାନମଣ୍ଡପରେ ଠାକୁରଙ୍କୁ ଦର୍ଶନ କରିଥିବା ଜଣାପଡ଼ିଛି। ତେବେ ପୂର୍ବାହ୍ନରେ ବିଧାୟକ ଷଡ଼ଙ୍ଗୀ ଠାକୁରଙ୍କୁ ସ୍ପର୍ଶ କରିଥିବା ଆଲୋଚନା ଶୁଣିବାକୁ ମିଳୁଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଲଗାଯାଇଥିବା ସିସିଟିଭି ଫୁଟେଜ ଯାଞ୍ଚ ହେଲେ ଏହା ସତ୍ୟ ନା ଗୁଜବ ତାହା ସ୍ପଷ୍ଟ ଜଣାପଡ଼ିବ। ଅନ୍ୟପକ୍ଷେ ଠାକୁରଙ୍କୁ ସ୍ପର୍ଶ କରିଥିବା ନେଇ ଯେଉଁ ଚର୍ଚ୍ଚା ହେଉଛି ସେ ସମ୍ପର୍କରେ ବିଧାୟକ ଷଡ଼ଙ୍ଗୀଙ୍କ ପ୍ରତିକ୍ରିୟା ନେବାକୁ ତାଙ୍କ ମୋବାଇଲ ନମ୍ବର ୯୦୪୦୧୪୬୯୩୬ ଯୋଗେ ଯୋଗାଯୋଗ କରାଯାଇଥିଲା। କିନ୍ତୁ ସେ ଫୋନ ଉଠାଇ ନ ଥିବାରୁ ତାଙ୍କର ମତାମତ ନିଆଯାଇପାରିନାହିଁ।