ବିଧାୟକ ପ୍ରାର୍ଥୀ ମନୋଜ ଜେନା ହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତଙ୍କ ଜାମିନ ହାଇକୋର୍ଟରେ ଖାରଜ

କଟକ ଅଫିସ,୨୫ା୧୨- ଗତ ସାଧାରଣ ନିର୍ବାଚନରେ ଆସ୍କା ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ମନୋଜ ଜେନା ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଭଗବାନ ସାହୁଙ୍କ ଜାମିନ ଆବେଦନ ହାଇକୋର୍ଟରେ ଖାରଜ ହୋଇଛି। ହତ୍ୟାକାଣ୍ଡ ସମ୍ପର୍କିତ ପ୍ରାଥମିକ ପ୍ରମାଣ ଅଭିଯୁକ୍ତଙ୍କ ବିରୋଧରେ ରହିଛି। ତେଣୁ ଅଭିଯୁକ୍ତଙ୍କୁ ଜାମିନ ଦିଆଯାଇପାରିବ ନାହିଁ ବୋଲି ବିଚାରପତି ଦେବବ୍ରତ୍ତ ଦାସ କହିଛନ୍ତି। ସୂଚନାଥାଉ କି, ମନୋଜ ଜେନା କଂଗ୍ରେସରୁ ବିଧାୟକ ପ୍ରାର୍ଥୀ ହୋଇ ନିର୍ବାଚନ ଲଢିଥିଲେ। ଭୋଟ ଗଣତିର ପୂର୍ବଦିନ ଅର୍ଥାତ ମେ’ ୨୨ ତାରିଖରେ ତାଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାରେ ପୋଲିସ ଭଗବାନଙ୍କ ସମେତ ସୁନୀଲ ନାୟକ, ବୁଲୁ ନାୟକ, କାର୍ତ୍ତିକ ନାହାକ, ଆନନ୍ଦ ସ୍ବାଇଁ, ଶିବରାମ ବେହେରା, ହୃଷୀକେଶ ପାତ୍ର ଏବଂ ଶଙ୍କର ରାଉତଙ୍କୁ ଗିରଫ କରିଥିଲା। ତଳ କୋର୍ଟରେ ଜାମିନ ଖାରଜ ହେବା ପରେ ଭଗବାନ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।