ବିଧାନସଭା ପ୍ରଶ୍ନୋତ୍ତର: ସରକାରୀ କର୍ମଚାରୀଙ୍କ ଦରମା, ପେନ୍‌ସନ ୩୮,୮୦୦ କୋଟି

ଭୁବନେଶ୍ୱର,୧୬।୭(ବ୍ୟୁରୋ): ଚଳିତ ଆର୍ଥିକ ବର୍ଷରେ ସରକାରୀ କର୍ମଚାରୀଙ୍କ ଦରମା ଓ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାର ୩୮ ହଜାର ୮୦୦ କୋଟି ଟଙ୍କା ଖର୍ଚ୍ଚ କରିବେ। ସରକାରୀ କର୍ମଚାରୀଙ୍କ ଦରମା ବାବଦରେ ୨୫ ହଜାର ୫୦୦ କୋଟି ଏବଂ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନ୍‌ସନ ବାବଦରେ ୧୩ ହଜାର ୩୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏ ନେଇ ବଜେଟରେ ବ୍ୟୟବରାଦ କରାଯାଇଛି। ଏହି ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ସୋମବାର ବିଧାନସଭାରେ ଏହା କହିଛନ୍ତି। ବିଧାୟକ ଶଙ୍କର ଓରାମ୍‌ଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ, କର୍ମଚାରୀ ଓ ପେନ୍‌ସନଭୋଗୀଙ୍କ ଦରମା ବ୍ୟତୀତ ରାଜ୍ୟ ସରକାର ବିଭିନ୍ନ କେନ୍ଦ୍ରୀୟ ଓ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନାରେ ମଧ୍ୟ କର୍ମଚାରୀଙ୍କ ଦରମା ରାଜ୍ୟ ସରକାର ଭରଣା କରନ୍ତି। ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ୧ ଲକ୍ଷ ୩୯ ହଜାର କୋଟିର ବ୍ୟୟବରାଦ କରିଛନ୍ତି। ରାଜସ୍ବ ଟିକସରୁ ୩୩ ହଜାର କେଟି, ଅଣ ରାଜସ୍ବ ଟିକସରୁ ୧୨୫୦୦ କୋଟି, କେନ୍ଦ୍ରୀୟ ଟିକସରୁ ରାଜ୍ୟ ଅଂଶଧନ ୩୯୨୦୬.୫୯ କୋଟି, କେନ୍ଦ୍ର ସରକାରଙ୍କଠାରୁ ସହାୟତା ଅନୁଦାନ ୩୦୫୫୯.୪୧, ଋଣ ଏବଂ ଅଗ୍ରିମ ଆଦାୟ ୧୫୦, ବିଭିନ୍ନ ସୂତ୍ରରୁ ଋଣ ୨୨୫୮୪ ଏବଂ ଭବିଷ୍ୟନିଧି ଓ ଅନ୍ୟାନ୍ୟ ସୂତ୍ରରୁ ୧ ହଜାର କୋଟି ଟଙ୍କା ସଂଗ୍ରହ କରିବାକୁ ସରକାର ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି।