ବିଧାନସଭାରେ କାର୍ଯ୍ୟକାରୀ ହେବ ଜାତୀୟ ଇ-ବିଧାନ ଆପ୍ଲିକେସନ୍‌

ଭୁବନେଶ୍ୱର,୧୩।୬(ବ୍ୟୁରୋ)- ଓଡ଼ିଶା ବିଧାନସଭାରେ ଜାତୀୟ ଇ-ବିଧାନ ଆପ୍ଲେକେସନ କାର୍ଯ୍ୟକାରୀ କରାଯିବ। ଗତ ୧୧ ତାରିଖରେ ଏନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ରରେ ଯେପରି ଇ-ବିଧାନ ପରିଚାଳନା କମିଟି କାର୍ଯ୍ୟକାରୀ କରୁଛି, ରାଜ୍ୟରେ ଅନୁରୂପଭାବେ ଏକ ପରିଚାଳନା କମିଟି କାର୍ଯ୍ୟକାରୀ କରିବ। ସଂସଦୀୟ ବ୍ୟାପାର ବିଭାଗ ତତ୍ତ୍ୱାବଧାନରେ ଏହି ଆପ୍ଲିକେଶନ କାର୍ଯ୍ୟକାରୀ କରାଯିବ। ବିଧାନସଭାର କମ୍ପ୍ୟୁଟରୀକରଣ କମିଟିର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟକୁ ଚିଠି ପ୍ରସ୍ତୁତିର ନକଲ ସଂଗ୍ରହ କରାଯିବ। ପୂର୍ବରୁ ଥିବା ଆଇସିଟି ଯନ୍ତ୍ରପାତି ଏବଂ ସମ୍ବଳର ସୁବିନିଯୋଗ କରାଯିବ। ସଂସଦୀୟ ମନ୍ତ୍ରଣାଳୟର ସୁପାରିଶ ଅନୁଯାୟୀ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ଏନ୍‌ଇଭିଏ କାର୍ଯ୍ୟକାରୀ କରିବ। ବର୍ତ୍ତମାନ ଏନେଇ ଚିଠି ପ୍ରସ୍ତୁତି ଜାରି ରହିଛି। ସଂପୃକ୍ତି ପ୍ରକଳ୍ପ କେନ୍ଦ୍ରର ଅନୁମୋଦନ ପୂର୍ବରୁ ବିଧାନସଭା କମ୍ପ୍ୟୁଟରୀକରଣ କମିଟି ଆଗରେ ଏହା ଉପସ୍ଥାପିତ ହେବ। ଏହାର ବିସ୍ତୁତ ବିବରଣୀ ପ୍ରସ୍ତୁତ କରି ଚଳିତ ମାସ ୨୨ ସୁଦ୍ଧା ଦାଖଲ କରିବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି। ୨୨ରେ ଏସଂକ୍ରାନ୍ତରେ ପରବର୍ତ୍ତୀ ବୈଠକ ହେବାର ସମ୍ଭାବନା ରହିଛି। ଏଥିରେ ବାଚସ୍ପତି, ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ସ୍ବତନ୍ତ୍ର ସଚିବ, ସଂସଦୀୟ ବିଭାଗର ଅତିରିକ୍ତ ଶାସନ ସଚିବ, ବିଧାନସଭା ଦାୟିତ୍ୱରେ ଥିବା ସଚିବ, ଓଡ଼ିଶା ବିଧାନସଭା ଡିବେଟ୍‌ ବିଭାଗୀୟ ଯୁଗ୍ମ ସଚିବ, ଏନ୍‌ଆଇସିର ନୋଡାଲ ଅଧିକାରୀ ଏବଂ ଏନ୍‌ଆଇସିର ଏସ୍‌ଆଇଓ ପ୍ରମୁଖ ଉପସ୍ଥିତ ରହିବେ।