Categories: ମେଟ୍ରୋ

ବିଧାନସଭାରେ ଇସ୍ରୋ ବୈଜ୍ଞାନିକଙ୍କୁ ଅଭିନନ୍ଦନ

ଭୁବନେଶ୍ୱର, ୨୭।୭(ବ୍ୟୁରୋ): ବିଧାନସଭାରେ ଚନ୍ଦ୍ରଯାନ-୨ ଉତ୍‌କ୍ଷେପଣରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଯାଇଛି। ଦେଶ ପାଇଁ ଏହା ଏକ ଗର୍ବ ଓ ଗୌରବର ବିଷୟ ହୋଇଥିବାରୁ ବୈଜ୍ଞାନିକମାନଙ୍କୁ ସମ୍ମାନିତ ଓ ଅଭିନନ୍ଦନ କରାଯିବା ଆବଶ୍ୟକ ବୋଲି ଶାସକ ଓ ବିରୋଧୀ ଦଳର ସଦସ୍ୟମାନେ ଦାବି କରିଥିଲେ। ଶୂନ୍ୟକାଳରେ ବିଜେଡି ସଭ୍ୟ ଅମର ପ୍ରସାଦ ଶତପଥୀ କହିଥିଲେ ଯେ, ବୈଜ୍ଞାନିକ ଓ ବିଜ୍ଞାନର ବିକାଶ ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ପ୍ରଶ୍ନୋତ୍ତରବେଳେ ବିଜ୍ଞାନ ବିଷୟରେ ଅନେକ ଆଲୋଚନା ହେଲା। ବିଜ୍ଞାନ ପ୍ରତି ସମସ୍ତଙ୍କର ଆବେଗ ରହିଛି। ଚନ୍ଦ୍ରଯାନ-୨ରେ ଓଡ଼ିଶାର ବୈଜ୍ଞାନିକମାନଙ୍କର ମଧ୍ୟ ଯୋଗଦାନ ରହିଛି। ଏହାକୁ ଦୃଷ୍ଟିରେ ରଖି ଉକ୍ତ ବୈଜ୍ଞାନିକମାନଙ୍କୁ ସ୍ବାଗତ କରିବା ପାଇଁ ଗୃହରେ ଏକ ପ୍ରସ୍ତାବ ଅଣାଯାଉ। ଏ ନେଇ ଓଡ଼ିଶା ବିଧାନସଭାର ଏକ ଭଲ ବାର୍ତ୍ତା ଯିବ। କଂଗ୍ରେସ ଦଳ ନେତା ନରସିଂହ ମିଶ୍ର ଅମରଙ୍କ ପ୍ରସ୍ତାବକୁ ସମର୍ଥନ କରିଥିଲେ। ସେ କହିଥିଲେ, ଗୃହରେ ସମସ୍ତେ ଛିଡ଼ା ହୋଇ ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାନ୍ତୁ। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏହି ପ୍ରସ୍ତାବକୁ ଗ୍ରହଣ କରିବା ସହିତ ସମସ୍ତ ସଦସ୍ୟ ଛିଡ଼ାହୋଇ ୧ ମିନିଟ ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ କରନ୍ତୁ ବୋଲି କହିଥିଲେ। ଗୃହର ସମସ୍ତ ସଦସ୍ୟ ଛିଡ଼ା ହୋଇ ଟେବୁଲରେ ହାତବାଡ଼ାଇ ଇସ୍ରୋ ବୈଜ୍ଞାନିକମାନଙ୍କୁ ଏହି ବିରଳ ସଫଳତା ପାଇଁ ଅଭିନନ୍ଦନ ଜଣାଇଥିଲେ।