ବିଦ୍ୟୁତ ସର୍ଟଶର୍କିଟରୁ ଅଗ୍ନିକାଣ୍ଡ: ୬ ବଖରା ଜଳିଗଳା; ୫ ଗୋରୁ, ୯ ଛେଳି ଜୀବନ୍ତ ଦଗ୍ଧ

ବନ୍ତ,୨୨।୧୦(ସ୍ବ.ପ୍ର.): ଭଦ୍ରକ ଜିଲା ବନ୍ତ ତହସିଲ ଅଧୀନ କୁଆଁର୍ଦ୍ଦା (ଅଘିରା ଗଢ଼ିଆ) ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ବାସଗୃହ ଓ ଗୁହାଳ ସମେତ ୬ ବଖରା ଜଳିଯାଇଛି। ଗ୍ରାମର ସମ୍ଭୁନାଥ ନାୟକ, କୈଳାସ ନାୟକ, ଭରତ ନାୟକ, କାହ୍ନୁ ନାୟକଙ୍କର ମୋଟ ୬ ବଖରା ଘର ଜଳିଯାଇଥିବା ଜଣାପଡ଼ିଛି। ରାତି ପ୍ରାୟ ୨ଟାରେ ଅଗ୍ନିକାଣ୍ଡ ଘଟିଥିଲା। ଗୁହାଳରେ ଥିବା ୫ ଗାଈ, ୯ ଛେଳି, ୧୦ କୁକୁଡା, ୬ ବତକ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ୨ ଛେଳି ଓ ୧ ଗାଈ ଗୁରୁତର ହୋଇଛନ୍ତି । ଏଥିରେ ଆନୁମାନିକ ୩ ଲକ୍ଷରୁ ଊର୍ଦ୍ଧ୍ୱ ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡ଼ିଛି । ଖବର ପାଇ ଆଗରପଡ଼ାରୁ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ କରିଥିଲେ। ବିଦ୍ୟୁତ ସର୍ଟଶର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।