ବିଦ୍ୟୁତ୍‌ ସର୍ଟଶର୍କିଟ୍‌ରୁ ଅଗ୍ନିକାଣ୍ଡ: ୫ ପରିବାରଙ୍କ ୭ ଘର ଜଳିଗଲା

କୃଷ୍ଣପ୍ରସାଦ, ୨୫।୨(ଡି.ଏନ୍‌.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ବାଲିନାସୀ ଗାଁରେ ମଙ୍ଗଳବାର ଭୋରରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୫ ପରିବାରଙ୍କ ୭ଟି ଘର ଜଳାଯାଇଛି। ସୁଦର୍ଶନ ବେହେରା, ସୁମନ ବେହେରା, ରାଜକୁମାରୀ ବେହେରା, ବିନୋଦିନୀ ବେହେରା ଏବଂ ଅନୀଳ ବେହେରାଙ୍କ ଘର ଜଳିଯାଇଥିବା ଜଣାପଡ଼ିଛି।
ପ୍ରକାଶ ଯେ, ଉକ୍ତ ୫ ପରିବାର ରାତିରେ ଶୋଇଥିବା ବେଳେ ଘରେ ନିଆଁ ଲାଗିଯାଇଥିଲା। ଏହା ଜାଣିବା ପରେ ସେମାନେ ପ୍ରାଣ ବିକଳରେ ଘରୁ ବାହାରକୁ ଦୌଡ଼ି ପଳାଇ ଯାଇଥିଲେ। ଗାଁ ଲୋକେ ବହୁ ଚେଷ୍ଟାକରି ମଧ୍ୟ ନିଆଁକୁ ଆୟତ୍ତ କରିପାରି ନ ଥିଲେ। ଖବର ପାଇ ମାଲୁଦ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ନଷ୍ଟ ହୋଇଥିବା ଜଣାପଡ଼ିଛି। ଅଗ୍ନିଶମ ବିଭାଗ ଡ୍ରାଇଭରଙ୍କ ହାତ, ଗୋଡ ଏବଂ ସୁମନ ବେହେରାଙ୍କ ପିଠି ଏବଂ ଛାତି ପୋଡି ଯାଇଛି। ତେବେ ବିଦ୍ୟୁତ୍‌ ସର୍ଟଶର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି।