ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଗାଇଚରାଳିଙ୍କ ମୃତ୍ୟୁ

କେସିଙ୍ଗା, ୨୫।୫: କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅନ୍ତର୍ଗତ ସୁକୁନାଭଟା ଗ୍ରାମରେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଶନିବାର ସକାଳେ ଜଣେ ଗାଇଚରାଳିଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଉକ୍ତ ଗ୍ରାମର ବୈଶିଷ୍ଠ ବାଗ(୫୦)।
ପ୍ରକାଶ ଯେ, ସୁକୁନାଭଟା ଗ୍ରାମ ନିକଟ ଜାତୀୟ ରାଜପଥ ୨୬ଠାରୁ ୩୦ ମିଟର ଦୂରରେ ୩୩୦ କେ.ଭି ବିଦ୍ୟୁତ୍‌ ତାର ସଂଯୋଗ ହୋଇଥିବା ବେଳେ ତାହା ଓହଳି ରହିଛି। ବୈଶିଷ୍ଠ ଗାଈ ନେଇ ଚରାଇବାକୁ ଯାଉଥିବା ବେଳେ ହାତରେ ଧରିଥିବା ବାଡିଟି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏ ନେଇ କେସିଙ୍ଗା ପୋଲିସ ପକ୍ଷରୁ (ନଂ.୧୦/୧୯) ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ପୋଲିସ ଘଟଣାର ତଦନ୍ତ ଚଳାଇଛି।