ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ୨ ହାତୀ ମୃତ୍ୟୁ ଘଟଣା: ଚମ୍ପୁଆ ରେଞ୍ଜର ନିଲମ୍ବିତ

କେନ୍ଦୁଝର, ୨୩ା୬(ଡି.ଏନ୍‌.ଏ./ସ୍ବ.ପ୍ର.)-କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ଯୋଡ଼ା ସେକ୍ସନ ଜୁରୁଡି ବିଟ୍‌ର ଗୁରୁବେଡ଼ା ଗାଁ ପାାଖ ବୈତରଣୀ(ଖ) ସଂରକ୍ଷିତ ଜଙ୍ଗଲରେ ଗତ ୧୪ ତାରିଖରେ ୨ଟି ହାତୀ ମୃତ୍ୟୁ ଘଟଣାରେ ପିସିସିଏଫ୍‌ (ମୁଖ୍ୟ ବନସଂରକ୍ଷକ) ଡ.ସନ୍ଦିପ ତ୍ରିପାଠୀ ଚମ୍ପୁଆ ରେଞ୍ଜର କାଶୀନାଥ ହେମ୍ବ୍ରମଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି। ପିସିସିଏଫ ଡ. ତ୍ରିପାଠୀ ତାଙ୍କ ପତ୍ର ସଂଖ୍ୟା ୫୯୯ ତା.୨୨ା୬ା୨୦୨୦ରେ ଏହି ପଦକ୍ଷେପ ନେଇଛନ୍ତି। ନିଲମ୍ବନ ସମୟରେ ରେଞ୍ଜର ହେମ୍ବ୍ରମ ରାଉରକେଲା ଆରସିସିଏଫଙ୍କ କାର୍ଯ୍ୟାଳୟରେ ଦାୟିତ୍ୱ ସମ୍ପାଦନ କରିବେ ବୋଲି ଆଦେଶ ପ୍ରଦାନ କରାଯାଇଛି। ଗତ ୧୬ ତାରିଖରେ କେନ୍ଦୁଝର ଡିଏଫଓ ସନ୍ତୋଷ ଯୋଶୀ ଏହି ଘଟଣାରେ ଯୋଡ଼ା ଫରେଷ୍ଟର ପିଅନ ନାୟକ ଓ ଜୁରୁଡି ବିଟ ଫରେଷ୍ଟ ଗାର୍ଡ ଦୋଳଗୋବିନ୍ଦ ଦେଓଙ୍କୁ ନିଲମ୍ବନ କରିଥିଲେ। ସୂଚନାଯୋଗ୍ୟ ଯେ, ଗୁରୁବେଡା ଗାଁ ପାାଖ ବୈତରଣୀ(ଖ) ସଂରକ୍ଷିତ ଜଙ୍ଗଲରେ ମରିଥିବା ଗୋଟିଏ ଦନ୍ତାହାତୀର ଦାନ୍ତ କାଟି ନିଆଯାଇଥିବାବେଳେ ଅନ୍ୟଟି ମାଈ ହାତୀ ଥିଲା। ୧୫ ତାରିଖ ସକାଳେ ଅତିରିକ୍ତ ପିସିସିଏଫ(ୱାଇଲ୍ଡ ଲାଇଫ) ଶଶୀ ପଲ, ଆରସିସିଏଫ ରାଉରକେଲା ଭଞ୍ଜ କିଶୋର ସ୍ବାଇଁ,କେନ୍ଦୁଝର ଡିଏଫଓ ଯୋଶୀ,ଏସିଏଫ ଅଜୟ କୁମାର ସାହୁ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ। ବନ୍ୟଜନ୍ତୁ ଶୀକାର ପାଇଁ ଶିକାରୀଙ୍କ ଦ୍ୱାରା ବିଛା ଯାଇଥିବା ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ହାତୀ ଦ୍ୱୟଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲା। ବନ ବିଭାଗ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ ମଧ୍ୟ କରିଛି।