ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଷୀ ମୃତ ବାର୍‌ହା ଶିକାର ପାଇଁ ବିଛାଯାଇଥିଲା

ନୟାଗଡ଼ ଅଫିସ,୨୨ା୧୦: ବାର୍‌ହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ସୋମବାର ନୟାଗଡ଼ ଜିଲାର ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଖଣ୍ଡପଡ଼ା ବ୍ଲକ ବେଣାଗାଡ଼ିଆ ପଞ୍ଚାୟତ ବରକୋଳି ଗ୍ରାମର ଘନଶ୍ୟାମ ଖଟୁଆ (୪୫)। ପ୍ରକାଶ ଯେ, ଗତ କିଛିଦିନ ହେବ ଖଣ୍ଡପଡ଼ା ଅଞ୍ଚଳରେ ବାର୍‌ହା ଉପଦ୍ରବ ଲାଗିରହିଛି। ଧାନ ଓ ପନିପରିବା ଫସଲ ଖାଇବା ପାଇଁ ବାର୍‌ହା ପଲ ସନ୍ଧ୍ୟା ପରେ କ୍ଷେତକୁ ଆସୁଛନ୍ତି। ଏହାକୁ ସୁଯୋଗ ମନେକରି ଶିକାରୀମାନେ ସକ୍ରିୟ ହୋଇଉଠିଛନ୍ତି। ସେମାନେ ବିଦ୍ୟୁତ୍‌ ତାର ସାହାଯ୍ୟରେ ବାର୍‌ହା ଶିକାର କରୁଛନ୍ତି। ଘନଶ୍ୟାମଙ୍କ ପରିବାର ସୂତ୍ରରୁ ପ୍ରକାଶ ଯେ, ସେ ସକାଳେ ଚାଷକାମ ପାଇଁ ବିଲକୁ ଯାଉଥିବା ବେଳେ ବାଟରେ ପଡୁଥିବା ଏକ ଜଙ୍ଗଲ ମଧ୍ୟରେ ବିଛାଯାଇଥିବା ବିଦ୍ୟୁତ ତା’ର ସଂସ୍ପର୍ଶରେ ଆସି ଟଳିପଡ଼ିଥିଲେ। ସ୍ଥାନୀୟ ଅଞ୍ଚଳର କେତେଜଣ ଲୋକ ଏହାଦେଖି ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତଦେହ ବ୍ୟବଚ୍ଛେଦ ପରେ ଖଣ୍ଡପଡ଼ା ପୋଲିସ ଏ ନେଇ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ସୂଚନା ମିଳିଛି।