ବିଦ୍ୟୁତ୍‌ ତାରରେ ଝୁଲୁଛି ଜୀବନ ଡୋରୀ

ଚନ୍ଦ୍ରଗିରି,୧୧।୯(ଡି.ଏନ୍‌.ଏ.): ଗଜପତି ଜିଲାରେ ଏପରି ଏକ ଗ୍ରାମ ରହିଛି ଯେଉଁଠିକୁ ପହଞ୍ଚିବା ଲାଗି ଜୀବନକୁ ବାଜି ଲଗାନ୍ତି ଲୋକେ। ଏହା ହେଉଛି ଜିଲାର ମୋହନା ବ୍ଳକ ଅନ୍ତର୍ଗତ ପାହାଡ ପର୍ବତ ଘେରା ଗରଡ଼ମା ପଞ୍ଚାୟତର ରାଜଖମା ଗାଁ। ମୋହନାଠାରୁ ପ୍ରାୟ ୭୦ କିମି ଦୂର ଏହି ଗ୍ରାମକୁ ଯିବାକୁ ହେଲେ ପାଣିଗଣ୍ଡା,କଟାମା ଅତିକ୍ରମ କରିବାକୁ ହୋଇଥାଏ। ଏହାପରେ ପାପଏଜୁ ନଦୀ ପୋଲ ଏବଂ ଢେପାଗୁଡା ଗ୍ରାମ ନିକଟ ପ୍ରଖରସ୍ରୋତା ନାଳ ପାର ହେବା ପରେ ପଡ଼େ ଗଦାପୁର ନଦୀ। ଏହି ପ୍ରଖରସ୍ରୋତା ନଦୀ ପାର ହେବାକୁ ଏକମାତ୍ର ଭରସା ହେଉଛି ଗୋଟିଏ ବିଦ୍ୟୁତ୍‌ ତାର। ପୋଲଟିଏ ନ ଥିବାରୁ ବାଧ୍ୟତାମୂଳକ ଭାବେ ତାର ଧରି ଲୋକେ ନଦୀପାର ହେଉଛନ୍ତି। ଅସାବଧାନତା ବଶତଃ ତାରରୁ ହାତ ଖସିଗଲେ କିମ୍ବା ତାର ଛିଡିଗଲେ ଜୀବନ ଯିବାର ଆଶଙ୍କା ରହିଛି। ତଥାପି ଜୀବନକୁ ବାଜି ଲଗାଇ ଦୈନନ୍ଦିନ କାର୍ଯ୍ୟ ପାଇଁ ବାଧ୍ୟ ହୋଇ ଏହି ତାରର ସାହାରା ନେଇ ନଦୀପାରି ହୋଇଥାନ୍ତି।

ଢେପାଗୁଡା ନାଳ ସମେତ ଗଦାପୁର ନଦୀରେ ପୋଲଟିଏ ନ ଥିବାରୁ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଭଳି ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବା ବେଳେ ବିକାଶଠାରୁ ବହୁ ଦୂରରେ ଗରଡମା ପଞ୍ଚାୟତ ସହ ଆଖପାଖ ଅଞ୍ଚଳବାସୀ। ଏହି ସମସ୍ୟାର ସମାଧାନ ନେଇ ଗରଡ଼ମା ପଞ୍ଚାୟତ ସରପଞ୍ଚ ନରେଶ ମୁଠାମାଝି ସ୍ଥାନୀୟ ବାସିନ୍ଦା ଗଙ୍ଗା ଗମାଙ୍ଗ, ରାଜେନ୍ଦ୍ର ଦଳାଇ, ଶାରଳା ପ୍ରଧାନୀ, ଝରା ବିଷୋୟୀ, ମନୋଜ ମହାପାତ୍ର, ମେଦାର୍ଧ ଦଳାଇ ପ୍ରମୁଖ ଜିଲା ପ୍ରଶାସନକୁ ବିଭିନ୍ନ ଅଭିଯୋଗ ଶୁଣାଣିରେ ଲିଖିତ ଭାବେ ଜଣାଇଛନ୍ତି। ମାତ୍ର ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।

ତେବେ ଅଞ୍ଚଳବାସୀଙ୍କ ଏଭଳି ଅଭିଯୋଗ ପରେ ସମସ୍ୟାର ସମାଧାନ କିଭଳି ହୋଇ ପାରିବ ସେନେଇ ମୋହନା ବିଧାୟକ ଦାଶରଥି ଗମାଙ୍ଗଙ୍କୁ ପଚାରିବାରୁ, କେତୋଟି ଗାଁରେ ପୋଲ ନିର୍ମାଣ ପାଇଁ ତାଲିକା କରାଯାଇଛି। ସେଥିରେ ଉକ୍ତ ଗ୍ରାମର ତାଲିକା ଥାଇପାରେ। ଯଦି ନ ଥାଏ ଯଥାଶୀଘ୍ର ଉକ୍ତ ଗରଡ଼ମା ଅଞ୍ଚଳକୁ ପରିଦର୍ଶନ କରି ସମସ୍ୟାର ସମାଧାନ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।