ବିଦ୍ୟୁତ୍‌ କର୍ମଚାରୀଙ୍କ ବାତ୍ୟା ମୁକାବିଲାକୁ ମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର, ୨୩ା୫ (ବ୍ୟୁରୋ): ବାତ୍ୟା ‘ଅମ୍ଫନ’ରେ କ୍ଷତିଗ୍ରସ୍ତ ବିଦ୍ୟୁତ୍‌ ସେବାକୁ ସ୍ବାଭାବିକ କରିବା ପାଇଁ ଯେଉଁ କର୍ମଚାରୀମାନେ ଦିନରାତି ଅବିରତ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଭୂୟସୀ ପ୍ରଶଂସା କରିଛନ୍ତି। ଏକ ଭିଡିଓ ବାର୍ତ୍ତାରେ ମନ୍ତ୍ରୀ କହିଛନ୍ତି, ଏଭଳି ପରିସ୍ଥିତିରେ ସମସ୍ତ ପ୍ରସ୍ତୁତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟକୁ ଯେଉଁ ଉତ୍କର୍ଷ ନେତୃତ୍ବ ପ୍ରଦାନ କରିଛନ୍ତି, ତାହା ତାଙ୍କ ଦୂରଦର୍ଶିତାକୁ ପ୍ରତିପାଦିତ କରୁଛି। ପ୍ରାୟ ୨୬-୨୭ ଲକ୍ଷ ସେସୁ, ୧୬ ଲକ୍ଷ ନେସ୍କୋ ଏବଂ ୨ ଲକ୍ଷ ସାଉଥ୍‌କୋ ବିଦ୍ୟୁତ ଉପଭୋକ୍ତା ଅମ୍ଫନ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଛନ୍ତି। ଗୁରୁବାର ରାତି ମଧ୍ୟରେ ହିଁ ସମସ୍ତ ଅତ୍ୟାବଶ୍ୟକୀୟ ସେବାଗୁଡ଼ିକ ପାଇଁ ବିଦ୍ୟୁତ୍‌ ଯୋଗାଣକୁ ସ୍ବାଭାବିକ କରାଯାଇଛି। ଯେତେବେଳେ ଏତେ ବୃହତ୍‌ ସଂଖ୍ୟାରେ ଲୋକ କ୍ଷତିଗ୍ରସ୍ତ ହୋଇଥାନ୍ତି ସେକ୍ଷେତ୍ରରେ ପୁନରୁଦ୍ଧାର ସହଜ ହୋଇ ନ ଥାଏ। ଆମର ପ୍ରସ୍ତୁତି ଓ କାର୍ଯ୍ୟକୌଶଳ ବାତ୍ୟା ପୂର୍ବରୁ ଏବଂ ପରେ ଆମକୁ ଯଥେଷ୍ଟ ସାହାଯ୍ୟ କରିଛି। ପ୍ରଥମ ଥର ପାଇଁ ଆମେ ସୂର୍ଯ୍ୟଉଦୟ ବେଳକୁ ପୁନରୁଦ୍ଧାର କାର୍ଯ୍ୟ କରିବାରେ ସକ୍ଷମ ହୋଇଛୁ। ଫଳରେ ଏବେ ସୁଦ୍ଧା ୮୦ ପ୍ରତିଶତ ସେସୁ ଅନ୍ତର୍ଗତ କାର୍ଯ୍ୟ ଶେଷ ହୋଇ ଲୋକଙ୍କୁ ବିଦ୍ୟୁତ ସେବା ଯୋଗାଇ ଦିଆଯାଇ ପାରିଛି। ନେସ୍କୋ ଅଧୀନରେ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଚାଲିଛି ଏବଂ ଟିମ୍‌ଗୁଡ଼ିକୁ ପ୍ରଭାବିତ ଅଞ୍ଚଳଗୁଡ଼ିକୁ ପ୍ରେରଣ କରାଯାଇଛି। ୧୫୮ଟି ଗ୍ୟାଙ୍ଗକୁ ନେଇ ଆସନ୍ତା ଦୁଇଦିନ ମଧ୍ୟରେ ବିଭାଗ ୯୦ରୁ ୯୫ ପ୍ରତିଶତ କାର୍ଯ୍ୟ ପୂର୍ଣ୍ଣାଙ୍ଗ କରିବାକୁ ଲକ୍ଷ୍ୟ ରଖିଛି ଏବଂ ସପ୍ତାହକ ମଧ୍ୟରେ ସମ୍ପୂର୍ଣ୍ଣ କାର୍ଯ୍ୟ ସାରିବାକୁ ସ୍ଥିର କରାଯାଇଛି ବୋଲି ଶକ୍ତିମନ୍ତ୍ରୀ ମିଶ୍ର କହିଛନ୍ତି।