Categories: ଗଞ୍ଜାମ

ବିଦ୍ୟାଳୟ ବନ୍ଦ, ୧୬ ଛାତ୍ରୀଛାତ୍ର ପଢ଼ା ଛାଡ଼ିଲେ ଗ୍ରାମବାସୀଙ୍କ ନବୀନ ନିବାସ ଘେରାଉ ଚେତାବନୀ

ଚିଲିକା,୧୮ା୮(ଡି.ଏନ.ଏ.): ଚଳିତ ଶିକ୍ଷାବର୍ଷରେ ରାଜ୍ୟରେ ବହୁ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରସଂଖ୍ୟା କମ୍‌ ଥିବାରୁ ସେଗୁଡ଼ିକୁ ବନ୍ଦ କରାଯାଇ ନିକଟତମ ବିଦ୍ୟାଳୟ ସହିତ ମିଶାଇ ଦିଆଯାଇଛି ।ଏହାକୁ ନେଇ ବହୁ ଛାତ୍ରୀଛାତ୍ରଙ୍କ ପାଠପଢାରେ ଡ଼ୋରି ବନ୍ଧାହେବାକୁ ବସିଛି। ଏଭଳି ଅବସ୍ଥା ସୃଷ୍ଟି ହୋଇଛି ଚିଲିକା ବ୍ଲକ୍‌ ପ୍ରାଣଦେଈପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ। ଉକ୍ତ ବିଦ୍ୟାଳୟଟି ଚଳିତ ଶିକ୍ଷାବର୍ଷରୁ ବନ୍ଦ ହୋଇ ନିକଟସ୍ଥ ସରଳସିଂହ ସରକାରୀ ପ୍ରାଥମିକ ବିଦ୍ୟାଳୟ ସହ ମିଶିଯାଇଛି। ହେଲେ ପ୍ରଥମରୁ ଅଧ୍ୟୟନ କରୁଥିବା ୧୬ ଛାତ୍ରୀଛାତ୍ର ଅନ୍ୟ ବିଦ୍ୟାଳୟକୁ ନ ଯାଇ ଘରେ ବସି ରହିଛନ୍ତି। ଏହାର ସମାଧାନ ନ ହେଲେ ଗ୍ରାମବାସୀ ନବୀନ ନିବାସ ଘେରାଉ କରିବାକୁ ଚେତାବନୀ ଦେଇଛନ୍ତି।
୨୦ରୁ କମ୍‌ ପିଲାଥିବା ଦର୍ଶାଯାଇ ଚଳିତ ଶିକ୍ଷାବର୍ଷରେ ଚିଲିକା ବ୍ଲକର ୧୦ ପ୍ରାଥମିକ ବିଦ୍ୟାଳୟକୁ ପାଖ ସ୍କୁଲ ସହିତ ମିଶାଇ ଦିଆଯାଇଛି। ଚିଲିକା ପଞ୍ଚାୟତ ଅନ୍ତର୍ଗତ ପ୍ରାଣଦେଈପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ୧୬ ପିଲା ଥିବାରୁ ତାହାକୁ ବନ୍ଦ କରାଯାଇ ସରଳସିଂହ ପ୍ରାଥମିକ ବିଦ୍ୟାଳୟ ସହ ମିଶାଇ ଦିଆଗଲା। ଗ୍ରାମବାସୀ ଏହାର ପ୍ରତିବାଦ କରି ବ୍ଲକ ଶିକ୍ଷାଧିକାରୀ, ଖୋର୍ଦ୍ଧା ଜିଲା ଶିକ୍ଷାଧିକାରୀ, ଜିଲାପାଳ ପ୍ରମୁଖଙ୍କୁ ଜଣାଇବା ପରେ ମଧ୍ୟ ସୁଫଳ ମିଳି ନ ଥିଲା। ପିଲାଙ୍କ ନିରାପତ୍ତା ଦୃଷ୍ଟିରୁ ଅଭିଭାବକମାନେ ୧୬ନଂ ଜାତୀୟ ରାଜପଥ ଓ ରେଳଲାଇନ୍‌ ଅତିକ୍ରମ କରାଇ ଅନ୍ୟ ସ୍କୁଲକୁ ଛାଡ଼ିଲେ ନାହିଁ। ଫଳରେ ଉକ୍ତ ଗ୍ରାମର ଅର୍ପଣ ବେହେରା, ମହେଶ ବେହେରା, ଓମ୍‌ ବେହେରା, କୌଶଲ୍ୟା ବେହେରା, ବର୍ଷାରାଣୀ ଦାସ, ଅଜିତ୍‌ ବେହେରା ପ୍ରମୁଖ ୧୬ ଛାତ୍ରୀଛାତ୍ର ପାଠପଢ଼ା ଛାଡ଼ି ଘରେ ବସିଛନ୍ତି ା ଗ୍ରାମବାସୀ ତୁରନ୍ତ ଉକ୍ତ ବିଦ୍ୟାଳୟ ଚାଲୁ କରାଯାଇ ଅନ୍ୟ ବିଦ୍ୟାଳୟକୁ ନିଆଯାଇଥିବା ୨ଜଣ ଶିକ୍ଷକଙ୍କୁ ମୂଳ ସ୍କୁଲକୁ ଫେରାଇ ପିଲାମାନଙ୍କୁ ଶିକ୍ଷା ଦେବାକୁ ଦାବି କରିଛନ୍ତି ା ଶେଷପନ୍ଥା ସ୍ବରୂପ ଛାତ୍ରୀଛାତ୍ରଙ୍କୁ ନେଇ ନବୀନ ନିବାସ ଘେରାଉ କରିବେ ବୋଲି ପଦ୍ମଚରଣ ବେହେରା, ଶିବ ବେହେରା, ଭାଗୀରଥି ରଣା, କୃପାସିନ୍ଧୁ ଦାସ ପ୍ରମୁଖ ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ଚିଲିକା ବିଇଓ ନଗେନ୍ଦ୍ର ସ୍ବାଇଁ କୁହନ୍ତି, ଯଦି ଉଚ୍ଚପଦସ୍ଥ ଅଧିକାରୀ ଅନୁସନ୍ଧାନ କରି ପୁନଃ ଖୋଲିବା ପାଇଁ ଅନୁମତି ଦିଅନ୍ତି ତେବେ ସ୍କୁଲ ଖୋଲିବ, ନଚେତ୍‌ ଛାତ୍ରୀଛାତ୍ର ସାର୍ଟିଫିକେଟ୍‌ ନେଇ ଅନ୍ୟତ୍ର ନାମ ଲେଖି ପଢ଼ିବେ।