Categories: ଜାତୀୟ

‘ବିଦ୍ରୋହୀ ବିଧାୟକଙ୍କୁ ଅଟକ ରଖାଯାଇପାରିବନି’

ନୂଆଦିଲ୍ଲୀ,୧୯ା୩(ପି.ଟି.): ମଧ୍ୟପ୍ରଦେଶରେ ରାଜନୈତିକ ଅଚଳାବସ୍ଥା ଲାଗି ରହିଥିବାବେଳେ ବିଦ୍ରୋହୀ ୧୬ ବିଧାୟକଙ୍କୁ ଚାମ୍ବରରେ ହାଜର ପାଇ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ଇସ୍ତଫା ଦେଇଥିବା ବିଧାୟକମାନେ ବିଧାନସଭାରେ ଯୋଗ ଦିଅନ୍ତୁ କି ନ ଦିଅନ୍ତୁ, ସେମାନଙ୍କୁ ଆବଦ୍ଧ କରି ରଖାଯାଇ ପାରିବ ନାହିଁ ବୋଲି ଜଷ୍ଟିସ୍‌ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଏବଂ ହେମନ୍ତ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ମତ ଦେଇଛନ୍ତି। ବିଦ୍ରୋହୀ ବିଧାୟକମାନେ ବିଚାରପତିଙ୍କ ଚାମ୍ବରରେ ହାଜର ହୋଇ ମତ ରଖିବା ପାଇଁ ଦିଆଯାଇଥିବା ପ୍ରସ୍ତାବକୁ ଅଗ୍ରାହ୍ୟ କରି ଖଣ୍ଡପୀଠ କହିଥିଲେ, ଏହା ଠିକ୍‌ ନୁହେଁ। ଏପରିକି ବିଧାୟକମାନଙ୍କ ପାଖକୁ ରେଜିଷ୍ଟ୍ରାର ଜେନେରାଲଙ୍କୁ ପଠାଇବାକୁ ମଧ୍ୟ ଖଣ୍ଡପୀଠ ମନା କରିଦେଇଥିଲେ। ଆସ୍ଥାଭୋଟ କାହା ସପକ୍ଷରେ ଯାଉଛି, ବିଧାନସଭା ତାହା ନିର୍ଣ୍ଣୟ କରିବାରେ ଅଦାଲତ ପ୍ରତିବନ୍ଧକ ହେଉନାହାନ୍ତି। ବିଧାୟକମାନଙ୍କର ସ୍ବାଧୀନ ମତବ୍ୟକ୍ତ ଅଧିକାରକୁ ସୁନିଶ୍ଚିତ କରିବା ଅଦାଲତଙ୍କ କାମ ବୋଲି ବିଚାରପତି କହିଥିଲେ।
ନିର୍ଦ୍ଦେଶ ସତ୍ତ୍ୱେ ମଧ୍ୟପ୍ରଦେଶ ବିଧାନସଭାରେ ଆସ୍ଥାଭୋଟ ନ କରାଇ ବାଚସ୍ପତି କରୋନା ଭୂତାଣୁ ସଂକ୍ରମଣ ଆଳରେ ଗୃହକୁ ୨୬ ତାରିଖ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ଏହାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ଶିବରାଜ ସିଂ ଚୌହାନ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଶିବରାଜଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ ଉପସ୍ଥିତ ରହି ୧୬ ବିଧାୟକଙ୍କୁ ବିଚାରପତିଙ୍କ ଚାମ୍ବରରେ ହାଜର କରାଇବାକୁ ସେ ପ୍ରସ୍ତାବ ଦେଇଥିଲେ। ବିକଳ୍ପ ଭାବରେ କର୍ନାଟକ ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲଙ୍କୁ ସମ୍ପୃକ୍ତ ବିଧାୟକମାନଙ୍କ ପାଖକୁ ପଠାଇ ଭିଡିଓ ରେକର୍ଡିଂ କରାଇବାକୁ ମଧ୍ୟ ରୋହତଗୀ ଅନୁରୋଧ କରିଥିଲେ। ବାଚସ୍ପତି ସେମାନଙ୍କ ଇସ୍ତଫାକୁ ଅଟକାଇପାରିବେ ନାହିଁ ବୋଲି ବିଦ୍ରୋହୀ ବିଧାୟକମାନଙ୍କ ପକ୍ଷରୁ କୁହାଯାଇଥିଲା।
ଅନ୍ୟପକ୍ଷରେ ୨୨ ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ପରେ ରାଜ୍ୟରେ ରାଜନୈତିକ ସଙ୍କଟକୁ ନେଇ କଂଗ୍ରେସ ପକ୍ଷରୁ ମଧ୍ୟ ସର୍ବୋଚ୍ଚ ଅଦାଲତରେ ଏକ ପିଟିଶନ ଦାଏର ହୋଇଥିଲା। ଆସ୍ଥାଭୋଟକୁ ଉପନିର୍ବାଚନ ପର୍ଯ୍ୟନ୍ତ ଘୁଞ୍ଚାଇଦେବାକୁ ମଧ୍ୟପ୍ରଦେଶ କଂଗ୍ରେସ ବିଧାୟକ ଦଳ (ଏମ୍‌ପିସିଏଲ୍‌ପି) ପକ୍ଷରୁ ଏଥିରେ ଆବେଦନ କରାଯାଇଥିଲା। କମଲନାଥଙ୍କ ନେତୃତ୍ୱାଧୀନ ସରକାର ସେପର୍ଯ୍ୟନ୍ତ କ୍ଷମତାରେ ରହିଲେ ଆକାଶ ଖସିପଡ଼ିବ ନାହିଁ ବୋଲି କଂଗ୍ରେସ ପକ୍ଷରୁ ବରିଷ୍ଠ ଆଇନଜୀବୀ ଦୁଷ୍ୟନ୍ତ ଡାଭେ କହିଥିଲେ। ଖଣ୍ଡପୀଠ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ଭାଜପା ଏବଂ କଂଗ୍ରେସର ପିଟିଶନର ଶୁଣାଣିକୁ ଗୁରୁବାର ପୂର୍ବାହ୍ନ ୧୦ଟା ୩୦ରେ କରିବା ପାଇଁ ଧାର୍ଯ୍ୟ କରିଛନ୍ତି।

Share