ବିଦେଶ ଫେରନ୍ତା ଫୋନ୍‌ ନ ଉଠାଇଲେ କାର୍ଯ୍ୟାନୁଷ୍ଠାନ: କଡ଼ା ଚେତାବନୀ ଦେଲେ ସରକାର

ଭୁବନେଶ୍ୱର, ୬।୬(ବ୍ୟୁରୋ)- ବିଦେଶ ଫେରନ୍ତାକୁ ରାଜ୍ୟ ସରକାର କଡ଼ା ଚେତାବନୀ ଦେଇଛନ୍ତି। ୧୦୪ କିମ୍ବା ରାଜ୍ୟ କଲ୍‌ ସେଣ୍ଟରରୁ ଯାଉଥିବା ଫୋନ୍‌ ନ ଉଠାଇଲେ କାର୍ଯ୍ୟାନୁଷ୍ଠାନ ହେବ। ୧୦୪ ନମ୍ବରେ ପଞ୍ଜୀକରଣ କରିଥିବା ଫୋନ୍‌ ନମ୍ବର ସୁଇଚ୍‌ ଅଫ୍‌ ଥିଲେ କିମ୍ବା ଫୋନ୍‌ କଲ୍‌ ଗ୍ରହଣ ନ କଲେ ସମ୍ପୃକ୍ତ ଫେରନ୍ତା ଜଣକ ହୋମ୍‌ କ୍ୱାରାଣ୍ଟାଇନ ନିୟମ ମାନୁ ନ ଥିବା ଧରାଯିବ। ତେଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି। କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଜରୁରୀକାଳୀନ ୧୦୪ ନମ୍ବରକୁ ବ୍ୟାପକ କରିଛନ୍ତି। ଯେଉଁମାନେ ଫେରୁଛନ୍ତି ସେମାନେ ଏହି ନମ୍ବରରେ ନିଜ ନାମ ପଞ୍ଜୀକରଣ କରିବା ସହିତ ସମ୍ପୂର୍ଣ୍ଣ ତଥ୍ୟ ଦେଇଥାନ୍ତି। ସେହି ନମ୍ବରରେ ବିଦେଶ ଫେରନ୍ତାଙ୍କ ସ୍ଥିତି ସମ୍ପର୍କରେ ରାଜ୍ୟ ସରକାର ସବୁବେଳେ ଅବଗତ ରହୁଛନ୍ତି। କିନ୍ତୁ ଅନେକ ବିଦେଶ ଫେରନ୍ତା ପଞ୍ଜୀକୃତ କରିଥିବା ଉକ୍ତ ଫୋନ୍‌ ନମ୍ବରକୁ ଫୋନ୍‌ କଲେ ଉଠାଉ ନାହାନ୍ତି। ତେଣୁ ବିଦେଶ ଫେରନ୍ତା ଏଥିରେ ସହଯୋଗ କରିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।