ବିଦେଶୀ ମଦ ଜବତ, ଜଣେ ଗିରଫ

ବ୍ରହ୍ମପୁର ଅଫିସ ,୧୯ା୪-କରୋନା ଦୃଷ୍ଟିରୁ ସାରା ଭାରତରେ ଲକ୍‌ଡାଉନ ଘୋଷଣା କରାଯାଇଛି। ସେହିପରି ଓଡ଼ିଶାରେ ମଧ୍ୟ ଲକ୍‌ଡାଉନ ବଳବତ୍ତର ଥିବା ବେଳେ ରାଜ୍ୟର ସମସ୍ତ ମଦ ଦୋକାନ ବନ୍ଦ ରହିଛି। ହେଲେ ରବିବାର ସକାଳେ ବୈଦ୍ୟନାଥପୁର ପୋଲିସ ଖୋଡଡାସିଂ ନିକଟସ୍ଥ ଏକ ଫାଇନାନ୍ସ ସଂସ୍ଥା ପାଖ ଏସି ରୁମରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ କରିଥିବା ଥାନାଧିକାରୀ ସାରଦା ପ୍ରସନ୍ନ ଦାସ ସୂଚନା ଦେଇଛନ୍ତି। ଜଣେ ଚାଲାଣକାରୀଙ୍କୁ ମଧ୍ୟ ଗିରଫ କରାଯାଇଛି ବୋଲି ସେ କହିଛନ୍ତି। ଘଟଣାସ୍ଥଳରୁ ପୋଲିସ ୬୦୮ ବୋତଲ ବିଭିନ୍ନ ବ୍ରାଣ୍ଡର ବିଦେଶୀ ମଦ ଜବତ କରିଛି। ଜବତ ମଦ ୧୨୩ ଲିଟର ବୋଲି ସେ କହିଛନ୍ତି। ଅଭିଯୁକ୍ତ ଜଣଙ୍କ ହିଞ୍ଜଳିକାଟୁ ଅଞ୍ଚଳର ବାବୁରାମ ବେହେରା। ନଂ. ୯୭/୨୦ରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।