Categories: ଜାତୀୟ

ବିଦେଶୀ ପୁଞ୍ଜିନିବେଶ ପାଇଁ ଦ୍ୱାର ଖୋଲିବାକୁ ପିଏମ୍‌ଓର ଯୋଜନା: ଆଣବିକ ଶକ୍ତିରେ ଏଫ୍‌ଡିଆଇକୁ ମିଳିପାରେ ଅନୁମତି

ନୂଆଦିଲ୍ଲୀ,୧୨ା୧(ଆଇଏଏନ୍‌ଏସ୍‌): ଆଣବିକ ଶକ୍ତି କ୍ଷେତ୍ରରେ ଭାରତକୁ ବିଶ୍ୱର ଏକ ପ୍ରମୁଖ ପକ୍ଷ ଭାବେ ଗଢ଼ି ତୋଳିବା ପାଇଁ ମୋଦି ସରକାର ଯୋଜନା କରୁଛନ୍ତି। ଏଥିପାଇଁ ଏହି କ୍ଷେତ୍ର ଲାଗି ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫ୍‌ଡିଆଇ)ର ଦ୍ୱାର ଖୋଲିବାକୁ ସରକାର ଚିନ୍ତା କରୁଥିବା ଜଣାପଡ଼ିଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ଏନେଇ ବିଚାର କରୁଥିବାବେଳେ ଏପରି ନିଷ୍ପତ୍ତି ନିଆଗଲେ ବହୁରାଷ୍ଟ୍ରୀୟ କମ୍ପାନୀଗୁଡ଼ିକ ପାଇଁ ଦେଶର ଆଣବିକ ବିଦ୍ୟୁତ୍‌ ପ୍ରକଳ୍ପଗୁଡ଼ିକରେ ପୁଞ୍ଜିନିବେଶର ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି ହେବ। ଏହାସହ ଭାରତର ଆଣବିକ ବିଦ୍ୟୁତ୍‌ ଶକ୍ତି ନୀତି କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଆସିବ ବୋଲି କୁହାଯାଉଛି।
ପିଏମ୍‌ଓ ସହ ବିସ୍ତୃତ ଆଲୋଚନା ପରେ ଆଣବିକ ଶକ୍ତି ବିଭାଗ (ଡିଏଇ) ପକ୍ଷରୁ ଆଇନ ମନ୍ତ୍ରଣାଳୟଠାରୁ ଆଇନଗତ ମତାମତ ଲୋଡ଼ାଯାଇଛି। ଏଫ୍‌ଡିଆଇ ନୀତିରେ ସଂଶୋଧନ ଆଣିଲେ ବିଦେଶୀ ପୁଞ୍ଜିନିବେଶକୁ ମଞ୍ଜୁରୀ ମିଳିପାରିବ କି ନାହିଁ ସେନେଇ ଆଇନ ମନ୍ତ୍ରଣାଳୟ ଡିଏଇକୁ ଅବଗତ କରାଇବ। ଆଟମିକ୍‌ ଏନର୍ଜି କମିଶନଠାରୁ ନୀତିରେ ସଂଶୋଧନ ପାଇଁ ପରାମର୍ଶ ମିଳିବା ପରେ ଡିଏଇ ପକ୍ଷରୁ ପିଏମ୍‌ଓକୁ ଏକ ରିପୋର୍ଟ ଦିଆଯିବା ନେଇ ପ୍ରସ୍ତାବ ରହିଛି। ଗତ ୮ ତାରିଖରେ ଡିଏଇ (ଅଣୁଶକ୍ତି ଭବନ) ଯୁଗ୍ମ ସଚିବଙ୍କ ଏକ ପତ୍ରରୁ ଏହି ବିଷୟ ଜଣାପଡ଼ିଛି। ଆଣବିକ ଶକ୍ତିରେ ଘରୋଇ ଅଂଶଧନ ନେଇ ଡିଏଇର ସ୍ପଷ୍ଟ ଆଭିମୁଖ୍ୟ ରହିଥିବା ଉକ୍ତ ଚିଠିରୁ ଜଣାପଡ଼ିଛି। କୋଇଲା, ଗ୍ୟାସ, ଜଳ ବିଦ୍ୟୁତ୍‌ ଓ ପବନ ଶକ୍ତି ପରେ ଭାରତରେ ଆଣବିକ ଶକ୍ତି ହେଉଛି ବିଦ୍ୟୁତ୍‌ ଉତ୍ପାଦନର ପଞ୍ଚମ ବୃହତ୍‌ ଉତ୍ସ। ୨୦୧୯ ପର୍ଯ୍ୟନ୍ତ ଦେଶର ୭ ଆଣବିକ ଶକ୍ତି ପ୍ରକଳ୍ପରେ ୨୨ଟି ଆଣବିକ ରିଆକ୍ଟର ପ୍ରତିଷ୍ଠା କରାଯାଇ ପାରିଛି। ଏହିସବୁ ପାଓ୍ବାର ପ୍ଲାଣ୍ଟର ମୋଟ ବିଦ୍ୟୁତ୍‌ ଉତ୍ପାଦନ କ୍ଷମତା ହେଉଛି ୬୭୮୦ ମେଗାଓ୍ବାଟ୍‌। ବିଦେଶୀ ପୁଞ୍ଜିନିବେଶକୁ ଏହି କ୍ଷେତ୍ରରେ ଅନୁମତି ମିଳିଲେ ଦେଶର ଆଣବିକ ଶକ୍ତି ଉତ୍ପାଦନ କ୍ଷମତା ବହୁଗୁଣିତ ହେବ ବୋଲି କୁହାଯାଉଛି।

Share