Categories: ଜାତୀୟ

ବିଦେଶୀ ଗଣମାଧ୍ୟମରେ ‘କଶ୍ମୀର’: ଆମ ନିଦ ଫେରାଇଦିଅ

ଶ୍ରୀନଗର, ୨୮ା୮(ପି.ଟି.) :ପ୍ରବେଶପଥକୁ ତିନୋଟି କାଠଗଣ୍ଡି, କେତେ ଖଣ୍ଡ ଟିଣ ଓ ଭଙ୍ଗାଇଟା ସହ ଏଭଳି ଅନେକ ପ୍ରତିବନ୍ଧକରେ ଅବରୋଧ କରାଯାଇଛି, ଯାହାକି ପୋଲିସ ଗାଡ଼ିଗୁଡ଼ିକୁ ଅଟକାଇଦେବ। ଉପତ୍ୟକାରେ କଡ଼ା ସାମରିକ କର୍ଫ୍ୟୁ ଓ ଯୋଗାଯୋଗର ମାଧ୍ୟମ ଉପରେ କଟକଣା ହେଉଛି ଜମ୍ମୁ-କଶ୍ମୀର ଉପରେ ଅଗଷ୍ଟ ୫ରେ ଭାରତ ସରକାର ନେଇଥିବା ନିଷ୍ପତ୍ତିକୁ କଶ୍ମୀରୀଙ୍କ ପ୍ରତ୍ୟାଖ୍ୟାନର ପ୍ରଥମ ସଙ୍କେତ।
ନିକଟସ୍ଥ ସୌରାର ଜେନାବ ସାହିବ୍‌ ମସ୍‌ଜିଦ ବାହାରେ ଲୋକେ କେନ୍ଦ୍ର ନିଷ୍ପତ୍ତି ପ୍ରତିବାଦରେ ଶୋଭାଯାତ୍ରା କରୁଥିବାବେଳେ ସେମାନଙ୍କ ଉପରକୁ ବର୍ଷାଯାଇଛି ଲୁହବୁହା ବାଷ୍ପ ଓ ଚଳାଯାଇଛି ଗୁଳି। ଗୁଳିମାଡ଼ରେ ବହୁସଂଖ୍ୟକ ଲୋକ ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି। ଆମେ ବିକ୍ଷୋଭ ବନ୍ଦ ନ କଲେ ପରିଣାମ ଭୋଗିବୁ ବୋଲି ସେନା ଆମକୁ ଧମକ ଦେଇଛି। ସେଥିପାଇଁ ଆମେ ବ୍ୟଗ୍ର ଓ ଚିନ୍ତିତ। ଆମେ ଆମ ଭାଇମାନଙ୍କ ସୁରକ୍ଷାକୁ ନେଇ ଭୟଭୀତ। ସେମାନଙ୍କୁ ଯବାନମାନେ କୌଣସି ସମୟରେ ଉଠାଇନେଇପାରନ୍ତି। ସେଥିପାଇଁ ଆମେ ରାତିରେ ଶୋଉନାହୁଁ। ଆମକୁ ଆମ ନିଦ ଫେରାଇ ଦିଅ ବୋଲି ଜେନାବ୍‌ ସାହିବ୍‌ର ୧୭ ବର୍ଷୀୟା ହୁମୈରା କହିଛନ୍ତି। ଅଗଷ୍ଟ ୫ରେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରର ସାମ୍ବିଧାନିକ ସ୍ବାୟତ୍ତତା ପ୍ରତ୍ୟାହାର କରିବା ପରେ ୧୮ ବର୍ଷୀୟା ରୁକ୍‌ସାନାଙ୍କ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ବିବାଦୀୟ ଅଞ୍ଚଳରେ ସାମରିକ କର୍ଫ୍ୟୁ ଏହାକୁ ବହୁଗୁଣିତ କରିଦେଇଛି। ସେ ଓ ତାଙ୍କ ପରିବାର ରାତିରେ ଶୋଇପାରୁନାହାନ୍ତି। ଭାରତୀୟ ଅର୍ଦ୍ଧସାମରିକ ବଳ ଯବାନମାନେ ରାତି ମଝିରେ ଅନେକଥର କବାଟ ବାଡ଼ଉଛନ୍ତି। ସେମାନେ ରାତି ଗୋଟାଏ, ତିନିଟା ଓ ସାଢ଼େ ଚାରିଟାରେ ଡାକବାଜି ଯନ୍ତ୍ରରେ ଉଚ୍ଚସ୍ବରରେ ଧମକ ଦେଉଛନ୍ତି, ଏହି କଟକଣା ଆଗକୁ ମଧ୍ୟ ଜାରି ରହିବ। ସ୍ଥାନୀୟ ମସ୍‌ଜିଦକୁ କେହି ଯାଅନାହିଁ ବୋଲି ନିର୍ଦ୍ଦେଶ ଦେଉଥିବା ରୁକ୍‌ସାନା କହିଛନ୍ତି। ଭାରତ ସରକାର ଉପତ୍ୟକାରେ ସବୁକିଛି ଠିକ୍‌ ଅଛି ଓ ସ୍ବାଭାବିକ ସ୍ଥିତି ଫେରିଆସୁଛି ବୋଲି କହୁଥିବାବେଳେ ବିବିସି ଓ୍ବାଲର୍‌ଡରେ ଏହି ରିପୋର୍ଟ ପ୍ରକାଶ ପାଇଛି।

Share