Categories: ଜାତୀୟ

ବିଦେଶରେ ମୋଦିଙ୍କ ପାଇଁ ଆୟୋଜିତ ସଫଳ କାର୍ଯ୍ୟକ୍ରମର ପ୍ରଚ୍ଛଦ ନାୟକ ବିଜୟ

ନୂଆଦିଲ୍ଲୀ,୧୬।୯: ବିଦେଶରେ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବ। ଆମେରିକାର ହଷ୍ଟନରେ ସେପ୍ଟେମ୍ବର ୨୨ରେ ‘ହାଓଡି ମୋଦି’(Howdy Modi) କାର୍ଯ୍ୟକ୍ରମ ଆୟୋଜନ ହେବାକୁ ଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ୫୦ହଜାରରୁ ଊର୍ଦ୍ଧ୍ୱ ଭାରତୀୟଙ୍କୁ ସମ୍ବୋଧିତ କରିବେ। ଆଉ ଏହି କାର୍ଯ୍ୟକ୍ରମ ପଛରେ ପୁଣି ପ୍ରଚ୍ଛଦନାୟକ ସାଜିଛନ୍ତି ବିଜୟ ଚୌଥାଇଓ୍ବାଲେ। ଯିଏ ପୂର୍ବରୁ ମଧ୍ୟ ବହୁ ଦେଶରେ ମୋଦିଙ୍କ ପାଇଁ ସଫଳ କାର୍ଯ୍ୟକ୍ରମର ଆୟୋଜନ କରିସାରିଛନ୍ତି। ‘ହାଓଡି ମୋଦି’ କାର୍ଯ୍ୟକ୍ରମରେ ଭିଡ ଜମାଇବା ପାଇଁ କଷ୍ଟ କରିବା ସହ ବିଜୟ ସେଠାକାର ଭାରତୀୟଙ୍କ ସହ ସମ୍ପର୍କ କରିବା ଲାଗି ନିଜର ବହୁ ଶ୍ରମ ଉପଯୋଗ କରିଥିବା ଜଣାପଡ଼ିଛି। ଏଥିସହ କାର୍ଯ୍ୟକ୍ରମର ସିଟ୍‌ ବୁକିଂ ପାଇଁ ବିଜୟ ଅନ୍‌ଲାଇନ୍‌ ରେଜିଷ୍ଟ୍ରେଶନର ସୁବିଧା ମଧ୍ୟ କରିଛନ୍ତି। ଏବେ ସୁଦ୍ଧା ଅନ୍‌ଲାଇନ୍‌ରେ ୫୦ ହଜାରରୁ ଊର୍ଦ୍ଧ୍ୱ ଲୋକ ପଞ୍ଜୀକରଣ ମଧ୍ୟ କରିସାରିଛନ୍ତି। ବର୍ତ୍ତମାନ ବିଜୟ ଭାଜପାର ବିଦେଶ ମାମଲାର ପ୍ରଭାରି ରହିଛନ୍ତି। ବିଶ୍ୱର ଯେଉଁଠାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ଥାଏ, ସେଠାରେ କିଛି ମାସ ପୂର୍ବରୁ ବିଜୟ ପହଞ୍ଚି ତାଙ୍କ ପାଇଁ କ୍ୟାମ୍ପେନିଂ କରିଥାନ୍ତି।

Share