ବିଦେଶରେ ଫସିଛନ୍ତି ୪୦ ହଜାର ଭାରତୀୟ

ଓ୍ବାଶିଂଟନ,୧୪ ।୪: ମହାମାରୀ କରୋନା ବିଶ୍ୱବ୍ୟାପୀ ଅଚଳାବସ୍ଥା ସୃଷ୍ଟି କରିଛି। ଏହି ଭୂତାଣୁ ସଂକ୍ରମଣ ରୋକିବା ପାଇଁ ବିଶ୍ୱର ବିଭିନ୍ନ ଭାଗରେ ଲକ୍‌ଡାଉନ୍‌ ଜାରି ହୋଇଥିବାରୁ ପ୍ରାୟ ୪୦ ହଜାର ପ୍ରବାସୀ ଭାରତୀୟ ଫସିରହିଛନ୍ତି। ସେମାନେ ନିଜ କର୍ମକ୍ଷେତ୍ରରୁ ଘରକୁ ଫେରିପାରି ନାହାନ୍ତି।
କାର୍ଗୋ ଓ କୁଜ୍‌ ଜାହାଜଗୁଡ଼ିକରେ ଫସିଥିବା ହଜାର ହଜାର ଭାରତୀୟ କ୍ରିଉ ମେମ୍ବର ଘରକୁ ଫେରିବା ପାଇଁ ଆକୁଳ ହୋଇ ଅପେକ୍ଷା କରିଛନ୍ତି। ଏନେଇ ଆମେରିକାର ମିଆମି ବନ୍ଦର ନିକଟରେ ଲାଗିଥିବା ଏମ୍‌ଏସ୍‌ସି ଡିଭିନା କ୍ରୁଜ୍‌ ଶିପ୍‌ର କ୍ରିଉ ମେମ୍ବରମାନଙ୍କ ମଧ୍ୟରୁ ଅନ୍ୟତମ ଆନନ୍ଦ କୁମାର କହିଛନ୍ତି, ଭାରତୀୟ ସରକାର ଆମ ସମସ୍ତଙ୍କୁ ଅଣଦେଖା କରିଛନ୍ତି। ଆମେ ସ୍ବଦେଶକୁ ଫେରି କ୍ୱାରାଣ୍ଟାଇନ୍‌ରେ ରହିବାକୁ ଆଗ୍ରହୀ। ହେଲେ ଆମକୁ ଅନ୍ତତଃ ଭାରତକୁ ନେଇଯାଆନ୍ତୁ। ଓ୍ବାଶିଂଟନସ୍ଥିତ ଭାରତୀୟ ଦୂତାବାସ ଓ ଆଟଲାଣ୍ଟାରେ ଥିବା କନ୍‌ସୁଲେଟରେ ପହଞ୍ଚତ୍ବା ଲାଗି ଆମେ ଉଦ୍ୟମ କରୁଛୁ। କିନ୍ତୁ ଭାରତ ସରକାରଠାରୁ ଆମ ସମ୍ପର୍କରେ କୌଣସି ଅପ୍‌ଡେଟ୍‌ ନାହିଁ ବୋଲି ସେମାନେ କହୁଛନ୍ତି।
ଭାରତର ଜାହାଜ ମାଲିକ, ଜାହାଜ ପରିଚାଳକ ଓ ଏଜେଣ୍ଟମାନଙ୍କୁ ନେଇ ଗଠିତ ମାରିଟାଇମ୍‌ ଆସୋସିଏଶନ (ଏମ୍‌ଏଏସ୍‌ଏସ୍‌ଏ)ର ଆକଳନ ଅନୁସାରେ ବିଦେଶରେ ଫସିରହିଥିବା ଭାରତୀୟ କ୍ରିଉ ମେମ୍ବରଙ୍କ ସଂଖ୍ୟା ପ୍ରାୟ ୪୦,୦୦୦। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ୨୪ ତାରିଖରେ ଦେଶବ୍ୟାପୀ ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରିଥିଲେ। ଏହି ତାଲାବନ୍ଦ ଘୋଷଣା ପରଠୁ ସମସ୍ତ ଅନ୍ତର୍ଜାତୀୟ ବିମାନ ଚଳାଚଳକୁ ବାତିଲ କରାଯାଇଥିବାରୁ କୌଣସି କ୍ରିଉ ମେମ୍ବର ନିଜ ଘରକୁ ଫେରିନାହାନ୍ତି। କ୍ରୁଜ୍‌ ଲାଇନ୍ସର ଅଧିକାଂଶ ଭାରତକୁ ଭାରତୀୟ କର୍ମଚାରୀଙ୍କୁ ଫେରାଇବା ପାଇଁ ପ୍ରସ୍ତୁତ ଅଛନ୍ତି। ତେବେ ଭାରତ ସରକାର ସେମାନଙ୍କୁ ଏଥିଲାଗି ଅନୁମତି ଦେଉନାହାନ୍ତି ବୋଲି କ୍ଷୋଭବ୍ୟକ୍ତ କରିଛନ୍ତି । ଇତିମଧ୍ୟରେ କେତେଜଣ ଭାରତୀୟ କର୍ମଚାରୀ ଜାହାଜରେ ପ୍ରାଣ ହରାଇସାରିଲେଣି।

Share