ବିଦାୟ ନେଲା ମୌସୁମୀ

ଭୁବନେଶ୍ୱର,୧୬।୧୦(ବ୍ୟୁରୋ):ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟରୁ ବିଦାୟ ନେଇଛି। ମଙ୍ଗଳବାର ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ଓଡ଼ିଶାରୁ ମୌସୁମୀ ବିଦାୟ ନେବା ୫ ଦିନ ବିଳମ୍ବ ହୋଇଛି। ସାଧାରଣତଃ ଅକ୍ଟୋବର ୧୦ ତାରିଖ ମଧ୍ୟରେ ମୌସୁମୀ ଓଡ଼ିଶାରୁ ଅପସରି ଯାଇଥାଏ। ଆଗମନ ବିଳମ୍ବ ହେବାରୁ ଚଳିତ ବର୍ଷ ରାଜସ୍ଥାନରୁ ମୌସୁମୀ ଅପସାରଣ ମାସେ ଘୁଞ୍ଚିଯାଇଛି। ରାଜସ୍ଥାନରୁ ସାଧାରଣତଃ ସେପ୍ଟେମ୍ବର ୧ ତାରିଖରୁ ମୌସୁମୀ ବିଦାୟ ନେବା କଥା ପାଣିପାଗ ବିଭାଗ ଘୋଷଣା କରିଥାଏ। ଚଳିତ ବର୍ଷ ଅକ୍ଟୋବର ୯ ତାରିଖରେ ଘୋଷଣା କରାଯାଇଥିଲା। ଏପରି ବ୍ୟତିକ୍ରମ ୧୯୬୧ ମସିହାରେ ମୌସୁମୀ ଅକ୍ଟୋବର ୧ ତାରିଖରେ ଏବଂ ୨୦୦୭ରେ ସେପ୍ଟେମ୍ବର ୩୦ ତାରିଖରେ ରାଜସ୍ଥାନରେଦେଖାଦେଇଥିଲା। ଓଡ଼ିଶାରେ ପ୍ରାୟତଃ ସ୍ବାଭାବିକ ରହିଛି ।
ଚଳିତ ବର୍ଷ ମୌସୁମୀ ରାଜ୍ୟରେ ଭଲ ବର୍ଷା ଦେଇଛି। ଜୁନ ପହିଲାରୁ ସେପ୍ଟେମ୍ବର ୩୦ ତାରିଖ ମଧ୍ୟରେ ସ୍ବାଭାବିକଠାରୁ ୭ ପ୍ରତିଶତ ଅଧିକ ବର୍ଷା ହୋଇଛି। ଏପରି କି କୋରାପୁଟ, ପୁରୀ, ସୋନପୁର, ବରଗଡ଼, ଗଞ୍ଜାମ ଏବଂ ଝାରସୁଗୁଡ଼ାରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଛି। ଅନ୍ୟ ୨୪ଟି ଜିଲାରେ ବର୍ଷା ସ୍ବାଭାବିକ ହୋଇଛି। ରାଜ୍ୟର କୌଣସି ଜିଲାରେ ନିଅଣ୍ଟିଆ ବର୍ଷା ହୋଇ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଜୁନ ପହିଲାରୁ ସେପ୍ଟେମ୍ବର ୩୦ ହେଉଛି ମୌସୁମୀ ଅବଧି। ଏହି ସମୟରେ ସମଗ୍ର ରାଜ୍ୟରେ ସ୍ବାଭାବିକ ଭାବେ ୧୧୫୫ ମିଲିମିଟର ବର୍ଷା ସ୍ଥଳେ ହୋଇଛି ୧୨୩୩ ମିଲିମିଟର। ଅକ୍ଟୋବର ୧ରୁ ୧୫ ତାରିଖ ମଧ୍ୟରେ ବର୍ଷା ପରିମାଣ ହ୍ରାସ ପାଇଛି। ପାଣିପାଗ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏହି ୧୫ ଦିନ ମଧ୍ୟରେ ରାଜ୍ୟରେ ସ୍ବାଭାବିକ ଭାବେ ୬୪.୪ ମିଲିମିଟର ବର୍ଷା ହେବାକୁ ଥିବାବେଳେ ହୋଇଛି ୫୯ ମିଲିମିଟର। ୧୦ ପ୍ରତିଶତ ବର୍ଷା କମ୍‌ ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପାଗ ଶୁଖିଲା ରହିବ। ଏହି ସମୟରେ କୋରାପୁଟ, ମାଲକାନଗିରି, ଗଜପତି ଓ ରାୟଗଡ଼ା ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡ଼ଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଆସନ୍ତା ୧୭ ଓ ୧୮ ତାରିଖରେ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।