ବିଜୟ ଶର୍ମା ହୋଇପାରନ୍ତି ପୋଲିସ ଡିଜି

ଭୁବନେଶ୍ୱର, ୧୪।୭(ବ୍ୟୁରୋ): ବର୍ତ୍ତମାନର ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ଡା. ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ଲୋକାୟୁକ୍ତ ସଦସ୍ୟ ଭାବେ ରାଜ୍ୟ ସରକାର ମନୋନୀତ କରିଥିବା ନେଇ ଚର୍ଚ୍ଚା ହେଉଛି। ଡା. ଶର୍ମା ଲୋକାୟୁକ୍ତ ସଦସ୍ୟ ନିଯୁକ୍ତ ହେଲେ ନୂଆ ଡିଜିପି କାହାକୁ ନିଯୁକ୍ତ କରାଯିବ ସେ ନେଇ କଳ୍ପନାଜଳ୍ପନା ଆରମ୍ଭ ହେଲାଣି। ଏଥିରେ ୧୯୮୬ ବ୍ୟାଚ୍‌ର ଆଇପିଏସ୍‌ ଅଫିସରଙ୍କ ନାମ ଆଗକୁ ଆସୁଛି। ଏମାନଙ୍କ ମଧ୍ୟରୁ ଆଗଧାଡ଼ିରେ ଅଛନ୍ତି ଅଗ୍ନିଶମ ସେବା ଓ ହୋମଗାର୍ଡ ଡିଜି ଥିବା ବିଜୟ କୁମାର ଶର୍ମା। କେନ୍ଦ୍ରୀୟ ଡେପୁଟେଶନରେ ଥିବା ଆଇପିଏସ୍‌ ଅଫିସର ଅଭୟ, ପ୍ରଦୀପ କପୁର, ଏମ୍‌. ନାଗେଶ୍ୱର ରାଓଙ୍କ ନାମ ମଧ୍ୟ ଏହି ପଦବୀ ଲାଗି ତାଲିକାରେ ଥିବା କୁହାଯାଉଛି। ଅନୁରୂପ ଭାବେ ସ୍ବତନ୍ତ୍ର ଡିଜିପି ସୁନୀଲ ରୟ, ୧୯୮୮ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ତଥା ପୋଲିସ କମିଶନର ସତ୍ୟଜିତ୍‌ ମହାନ୍ତି ଏବଂ ଏମ୍‌.କେ. ଛାବ୍ରାଙ୍କ ନାମ ମଧ୍ୟ ଆଲୋଚନା ପରିସରକୁ ଆସୁଛି।
ପୂର୍ବରୁ ରାଜ୍ୟ ସରକାର ଜଣଙ୍କୁ ପୋଲିସ ଡିଜି ଭାବେ ମନୋନୀତ କରୁଥିଲେ। ଏବେ ଡିଜି ବଦଳିବା ନିୟମରେ ପରିବର୍ତ୍ତନ ହୋଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଡିଜି ପାହ୍ୟାରେ ଥିବା ଅଧିକାରୀଙ୍କ ନାମ ଚୟନ କରି ରାଜ୍ୟ ସରକାର କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସ୍‌ସି) ନିକଟକୁ ନାମ ତାଲିକା ପଠାଇବେ। ଭିଜିଲାନ୍ସ ମାମଲା ରହିଛି କି ନାହିଁ ଏବଂ କାର୍ଯ୍ୟକାଳ ଅନ୍ତତଃ ଦୁଇବର୍ଷ ରହିଥିବା ଆଦି ଦିଗକୁ ଦେଖି ୟୁପିଏସ୍‌ସି ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ଭାବ୍ୟ ତାଲିକାରୁ ୩ଜଣଙ୍କ ନାମ ଚୟନ କରିବେ। ସେଥିରୁ ରାଜ୍ୟ ସରକାର ଜଣଙ୍କୁ ଡିଜିପି ଭାବେ ମନୋନୀତ କରିବେ। ଏହି ଆଧାରରେ ପ୍ରଥମଥର ରାଜ୍ୟରେ ଡିଜିପି ଚୟନ କରାଯିବ। ସୂଚନାଥାଉ କି, ଗତ ସାଧାରଣ ନିର୍ବାଚନ ସମୟରେ ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା ଛୁଟିରେ ଥିବାବେଳେ ବିଜୟ କୁମାର ଶର୍ମାଙ୍କୁ ଦାୟିତ୍ୱ ଦିଆଯାଇଥିଲା। କର୍ତ୍ତବ୍ୟ ସୁଚାରୁରୂପେ ପାଳନ କରିଥିବାରୁ ସେ ସରକାରଙ୍କ ଶୁଭଦୃଷ୍ଟିରେ ଥିବା କୁହାଯାଉଛି।