ବିଜୟ ମାଲ୍ୟାଙ୍କୁ ବଡ଼ ଝଟ୍‌କା

ଲଣ୍ଡନ,୨୦।୪: କିଙ୍ଗ୍‌ଫିଶର ଏୟାରଲାଇନ୍ସର ମାଲିକ ତଥା ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ବଡ଼ ଝଟ୍‌କା ଲାଗିଛି। ଭାରତ ପ୍ରତ୍ୟର୍ପଣ ବିରୋଧରେ ମାଲ୍ୟା କରିଥିବା ଆବେଦନକୁ ବ୍ରିଟେନ ହାଇକୋର୍ଟ ଖାରଜ କରିଦେଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ସୋମବାର ଲଣ୍ଡନର ରୟାଲ କୋର୍ଟ ଅଫ୍‌ ଜଷ୍ଟିସର ଦୁଇ ବିଚାରପତି ଲର୍ଡ ଜଷ୍ଟିସ ଷ୍ଟିଫେନ ଇରୱିନ ଏବଂ ଜଷ୍ଟିସ ଏଲିଜାବେଥ ଲାଇଂଙ୍କ ଖଣ୍ଡପୀଠ ମାଲ୍ୟାଙ୍କ ଆବେଦନ ଉପରେ ଶୁଣାଣି କରିଥିଲେ। ଏହି ସମୟରେ ମାଲ୍ୟା କରିଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ଏହାପରେ ଏହି ମାମଲାର ଚୂଡ଼ାନ୍ତ ନିଷ୍ପତ୍ତି ପାଇଁ ବ୍ରିଟେନର ଗୃହ ସଚିବ ପ୍ରୀତି ପଟେଲଙ୍କ ନିକଟକୁ ଯିବ ବୋଲି ସୂଚନା ମିଳିଛି। ସୂଚନା ମୁତାବକ ମାଲ୍ୟାଙ୍କ ନାଁରେ ୯ ହଜାର କୋଟି ଟଙ୍କାର ଠକେଇ ଏବଂ ମନି ଲଣ୍ଡରିଂ ମାମଲା ରହିଛି। ଏହି ଅଭିଯୋଗ ଆସିବା ପରେ ସେ ଭାରତରୁ ପଳାୟନ କରିଥିଲେ। ଚଳିତ ବର୍ଷ ଫେବୃୟାରୀରେ ପ୍ରତ୍ୟର୍ପଣ ବିରୋଧରେ ହାଇକୋର୍ଟରେ ସେ ଆବେଦନ କରିଥିଲେ। ଅପରପକ୍ଷେ ମାଲ୍ୟାଙ୍କୁ ଭାରତ ଆଣିବା ପାଇଁ କେନ୍ଦ୍ର ସରକାର ଓ ଭାରତୀୟ ତଦନ୍ତ ସଂସ୍ଥା ଯଥା ସମ୍ଭବ ପ୍ରୟାସ ଚଳାଇଛି। ହେଲେ ଏପର୍ଯ୍ୟନ୍ତ ସଫଳ ହୋଇପାରି ନାହିଁ।

Share